ଲକ୍ଷ୍ନୌ,ଏଜେନ୍ସି: ଦୀପାବଳୀ ଅବସରରେ ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ‘ଦୀପୋତ୍ସବ’ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଉତ୍ତରପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି । ଉତ୍ତରପ୍ରଦେଶ ପର୍ଯ୍ୟଟନ ମନ୍ତ୍ରୀ ନୀଳକଣ୍ଠ ତିୱାରୀଙ୍କ ସୂଚନା ଅନୁଯାୟୀ, କାର୍ଯ୍ୟକ୍ରମରେ ୫ଲକ୍ଷ ଇଷ୍ଟର୍ଣ୍ଣ ଲ୍ୟାମ୍ପ ପ୍ରଜ୍ୱଳନ କରାଯିବ । ୫୦୦ବର୍ଷର ସଂଘର୍ଷ ପରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ରାମମନ୍ଦିର ନିର୍ମାଣ ପାଇଁ ଅନୁମତି ମିଳିଛି ।
କୋଭିଡ୍ ମହାମାରୀ ପରିସ୍ଥିତି ଚାଲି ନଥିଲେ ଦୀପୋତ୍ସବ କାର୍ଯ୍ୟକ୍ରମରେ ଲକ୍ଷାଧିକ ସଂଖ୍ୟକ ଲୋକ ଭାଗ ନେଇଥା’ନ୍ତେ । ମହାମାରୀ ପରିସ୍ଥିତିରେ ଘରେବସି ଲାଇଭ୍ ପ୍ରସାରଣରେ ଦୀପୋତ୍ସବ ଉପଭୋଗ କରିବାକୁ ଲୋକଙ୍କୁ ତିୱାରୀ ଆବେଦନ କରିଛନ୍ତି । ଏହି ଦୀପୋତ୍ସବ କାର୍ଯ୍ୟକ୍ରମ ନଭେମ୍ବର ୧୨ରୁ ୧୬ ପର୍ଯ୍ୟନ୍ତ ଚାଲିବ । ଲଗାତାର ତୃତୀୟଥର ପାଇଁ ଅଯୋଧ୍ୟାରେ ଦୀପାବଳୀ ପାଳିତ ହେବ । ଏହାପୂର୍ବରୁ ରାମମନ୍ଦିର ଭୂମିପୂଜନ ଅବସରରେ ଅଯୋଧ୍ୟାରେ ଦୀପୋତ୍ସବ କାର୍ଯ୍ୟକ୍ରମ କରାଯାଇଥିଲା । କୋଭିଡ୍ ଗାଇଡ୍ଲାଇନ୍କୁ ନଜରରେ ରଖି ଦୀପୋତ୍ସବ ପାଇଁ ପ୍ରସ୍ତୁତି କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି ।