ଆନନ୍ଦପୁରରେ ୨୪ ମେଗାୱାଟର କ୍ଷୁଦ୍ର ଜଳବିଦ୍ୟୁତ ପ୍ରକଳ୍ପ ଲୋକାର୍ପିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଜିଲ୍ଲା ଖଣିଜ ପାଣ୍ଠିର ଟଙ୍କା ହେଉଛି ଲୋକଙ୍କ ଟଙ୍କା। ଏହାର ସବୁ ଟଙ୍କା କେବଳ ଲୋକଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଭିଡିଓ କନ‌ଫରେନସିଂ ଜରିଆରେ ଆନନ୍ଦପୁରର ସିଂହନାଳୀରେ ୨୪ ମେଗାୱାଟ ବିଶିଷ୍ଟ ବୈତରଣୀ କ୍ଷୁଦ୍ର ଜଳବିଦ୍ୟୁତ ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, କେନ୍ଦୁଝର ଜିଲ୍ଲାର ଉଭୟ ଦେଶ ଓ ରାଜ୍ୟ ଅର୍ଥନୀତିରେ ବିଶେଷ ଅବଦାନ ରହିଛି। କେନ୍ଦୁଝରରେ ଏକ ମେଡିକାଲ କଲେଜ ଓ ହସ୍‌ପିଟାଲ କାର୍ଯ୍ୟ ଆଗେଇ ଚାଲିଥିବାବେଳେ ଜିଲ୍ଲାର ସବୁ ରାସ୍ତାର ଉନ୍ନତୀକରଣ ପାଇଁ ପଦକ୍ଷେପ ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ସେହିପରି ମେଗା ପିଇବା ପାଣି ପ୍ରକଳ୍ପରେ ଜିଲ୍ଲାର ସବୁ ଘର ଗାଁ ଓ ସହର ସବୁ ଅଞ୍ଚଳରେ ପାଇପ ପାଣି ଯୋଗାଇ ଦେବା ପାଇଁ କାମ ଚାଲିଛି ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଲୋଅର ବୈତରଣୀ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ହେଉଛି ସବୁଜ ଓ ପୁନଃ ବ୍ୟବହାରକ୍ଷମ ଶକ୍ତି କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ। ଏହା ପରିବେଶ ଅନୁକୂଳ ଏବଂ ଏହି ପ୍ରକଳ୍ପରେ କେହି ଜଣେ ବି ବିସ୍ଥାପିତ ହୋଇନଥିବାରୁ ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିଥିଲେ ଏବଂ ଏହିଭଳି ଅନେକ ଛୋଟ ଛୋଟ ଶକ୍ତି ପ୍ରକଳ୍ପ ଦ୍ବାରା ଓଡିଶା ପରିବେଶ ପରିବର୍ତ୍ତନ ଆହ୍ବାନକୁ ଠିକ୍‌ ଭାବରେ ମୁକାବିଲା କରିପାରିବ।

ବୈତରଣୀ ନଦୀ ଉପରେ ନିର୍ମିତ ଏହି ପ୍ରକଳ୍ପ ହାଇଦ୍ରାବାଦସ୍ଥିତ ବୈତରଣୀ ପାୱାର ପ୍ରୋଜେକ୍ଟ ପ୍ରାଇଭେଟ ଲିମିଟେଡ ଦ୍ବାରା ସ୍ଥାପନ କରାଯାଇଛି। ଏଥିରୁ ରାଜ୍ୟ ଗ୍ରୀଡ ବର୍ଷକୁ ୧୦୦ ମିଲିଅନ ୟୁନିଟ ବିଜୁଳି ପାଇପାରିବ। ଏହାଦ୍ବାରା ଆନନ୍ଦପୁର ଅଞ୍ଚଳର ଲୋକମାନେ ଉନ୍ନତମାନର ବିଜୁଳି ସୁବିଧା ପାଇପାରିବେ।

ଏଥିସହିତ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ଭିଡିଓ ପ୍ରଦର୍ଶିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଶକ୍ତି ବିଭାଗର ପ୍ରମୁଖ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ସ୍ବାଗତ ଭାଷଣ ଦେଇଥିଲେ ଏବଂ କେନ୍ଦୁଝର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଓ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।