ବସ୍-ଟ୍ରକ ମୁହାଁମୁହିଁ ଧକ୍କା: ୭ ମୃତ, ୪୦ରୁ ଅଧିକ ଆହତ

ଲକ୍ଷ୍ନୌ,ଏଜେନ୍ସି: ଉତ୍ତର ପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବସ୍ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଗତକାଲି(ଶୁକ୍ରବାର) ରାତିରେ ଲକ୍ଷ୍ନୌ ଗୋରଖପୁର ହାଇଓ୍ବେର ଅଯୋଧ୍ୟା କୋଟଓ୍ବାଲି ଅଞ୍ଚଳରେ ଏହି ଭୟଙ୍କର ସଡକ ଦୁର୍ଘଟଣା ହୋଇଛି । ଏନେଇ ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ରାତି ପ୍ରାୟ ୮ଟା ୧୫ ମିନିଟ ସମୟରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି ।

ପୋଲିସର ସୂଚନା ମୁତାବକ, ଏକ ଘରୋଇ ବସ୍ ଅଯୋଧ୍ୟାରୁ ଯାତ୍ରୀଙ୍କୁ ନେଇ ଅମ୍ବେଦକର ନଗର ଆଡକୁ ଯାଉଥିବା ବେଳେ ହାଇଓ୍ବେର ଅପରପାର୍ଶ୍ବରୁ ଆସୁଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ଟ୍ରକଟି ବସ୍ ଉପରେ ଓଲଟି ପଡିଥିଲା । ଅଯୋଧ୍ୟାର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଅଜୟ ରାଜା କହିଛନ୍ତି, “ବର୍ତ୍ତମାନ ସୁଦ୍ଧା ୭ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୪୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି ।”

ଏନେଇ ସ୍ଥାନୀୟ ଜିଲ୍ଲାପାଳ ନିତିଶ କୁମାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଦୁର୍ଘଟଣାର ଖବର ପାଇବା ପରେ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିଛୁ । ଦୁର୍ଘଟଣାସ୍ଥଳରେ ଗୋଟିଏ ଡର୍ଜନରୁ ଅଧିକ ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି । ଟ୍ରକ ତଳେ ଚାପି ହୋଇରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରଖିଛୁ । ତେବେ ବର୍ତ୍ତମାନ ସୁଦ୍ଧା ୭ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି ଅନୁମାନ କରାଯାଉଛି ।