ପୁରୀ,ଏନ୍ଏନ୍ଏସ୍: ହେରିଟେଜ ରାଇଡରେ ଆମେରିକୀୟ ବାଣିଜ୍ୟିକ ଦୂତାବାସର ପ୍ରତିନିଧି ମଣ୍ତଳୀ ସାମିଲ। ପୁରୀରେ ଅନୁଷ୍ଠିତ ହୋଇଥିବା ହେରିଟେଜ ରାଇଡରେ ହାଇଦ୍ରାବାଦସ୍ଥିତ ଆମେରିକୀୟ ବାଣିଜ୍ୟିକ ଦୂତାବାସର ପ୍ରତିନିଧି ମଣ୍ତଳୀ ଯୋଗଦେଇଛନ୍ତି । ବାଣିଜ୍ୟିକ ରାଷ୍ଟ୍ରଦୂତ କନସଲ ଜେନେରାଲ ଜୋଏଲ ରିଫମ୍ୟାନଙ୍କ ନେତୃତ୍ୱରେ ଆସିଥିବା ପ୍ରତିନିଧି ମଣ୍ତଳୀ ହେରିଟେଜ ରାଇଡରେ ସାମିଲ ହୋଇ ବିଭିନ୍ନ ଐତିହ୍ୟସ୍ଥଳୀ ବୁଲିଛନ୍ତି।
ପ୍ରଥମେ ତୋଟା ଗୋପିନାଥ, ଜମ୍ବେଶ୍ବର ମନ୍ଦିର, ହରଚଣ୍ତି ସାହିସ୍ଥିତ ଭାରତ ଯୋଗ କେନ୍ଦ୍ର ବୁଲି ଦେଖିଥିଲେ। ସେଠାରେ ରମାବଲ୍ଲଭ ମହାପାତ୍ର ଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ। ଜଗନ୍ନାଥ ମନ୍ଦିର ବେଢା ପରିକ୍ରମା, ଶ୍ବେତଗଙ୍ଗା ପୁଷ୍କରିଣୀ ବୁଲି ଦେଖିବା ସହ ଜିୟରସ୍ୱାମୀ ମଠରେ ବେଦପାଠ ଶୁଣିଥିଲେ। ମଣିକର୍ଣ୍ଣିକା ସାହି ଓ ହରଚଣ୍ତି ସାହି ମଧ୍ୟଦେଇ ଯିବା ବେଳେ ପ୍ରାଚୀନ ପରମ୍ପରା ଓ ପୁରାତନ ନିର୍ମାଣ ଶୈଳୀ ଦେଖି ସେମାନେ ସେସବୁର ପ୍ରଶଂସା କରିଥିଲେ। ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।
ପ୍ରାୟ ୧୫୦ ଯାତ୍ରୀ ଖାତା ଦେଖାଇ ତୀର୍ଥଯାତ୍ରା ସମ୍ବନ୍ଧରେ ସେମାନଙ୍କୁ ଅବଗତ କରାଇଥିଲେ। ପରେ ଏହି ପ୍ରତିନିଧି ମଣ୍ଡଳୀ ସମୁଦ୍ର ବେଳାଭୂମି ଯାଇଥିଲେ। ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଜଳବାୟୁ ପରିବର୍ତ୍ତନ ନେଇ ହୋଇଥିଲା ବାଲୁକା ଚିତ୍ରକଳା ଦେଖି ଥିଲେ। ଏହି ଅବସରରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, ଇକୋ ଟ୍ୟୁରିଜିମ ଫାଉଣ୍ଡେସନ ପ୍ରତିଷ୍ଠାତା ଯୁଗବ୍ରତ କର, ନଟବର ସାହୁ, ବେୟାରଫୁଟର ସ୍ୱେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ଥିଲେ।