ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଲଖୀମପୁର ଖୀରୀ ହିଂସା ମାମଲାରେ ସୁପ୍ରିମକୋର୍ଟ ପୁଣିଥରେ ଏସଆଇଟି ଗଠନ କରିଛନ୍ତି । ସୁପ୍ରିମକୋର୍ଟଙ୍କ ତରଫରୁ ପଞ୍ଜାବ-ହରିୟାଣା ହାଇକୋର୍ଟର ପୂର୍ବ ଜଜ୍ ଜଷ୍ଟିସ ରାକେଶ କୁମାର ଜୈନଙ୍କୁ ଯାଞ୍ଚର ତଦାରଖ କରିବା ପାଇଁ ନିଯୁକ୍ତ କରାଯାଇଛି । ଜଷ୍ଟିସ ଜୈନ ନିରପେକ୍ଷ ତଦନ୍ତ କରିବେ ବୋଲି କୋର୍ଟ କହିଛନ୍ତି । ଏସଆଇଟିରେ ଜଣେ ମହିଳାଙ୍କ ସମେତ ୩ ବରିଷ୍ଠ ଆଇପିଏସଙ୍କୁ ନିଯୁକ୍ତ କରିବାକୁ କୋର୍ଟ ଆଦେଶ ଦେଇଛନ୍ତି । ଏହି ଅଧିକାରୀ ଶିରୋଡକର, ପ୍ରୀତିନ୍ଦର ସିଂହ ଓ ପଦ୍ମଜା ଚୌହାନ ହେବେ ବୋଲି ଜଣାପଡ଼ିଛି । ଏସଆଇଟି ଯାଞ୍ଚ ଶେଷ କରି ସ୍ଥିତି ରିପୋର୍ଟ ଦାଖଲ କରିବା ପରେ ସୁପ୍ରିମକୋର୍ଟ ପୁଣିଥରେ ଶୁଣାଣୀ କରିବେ ।
ସୂଚନାଯୋଗ୍ୟ, ଏହାପୂର୍ବରୁ ଉତ୍ତରପ୍ରଦେଶ ସରକାର ଉକ୍ତ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ପୂର୍ବ ଜଜଙ୍କ ତଦାରଖରେ ଯାଞ୍ଚ କରାଇବାର ପ୍ରସ୍ତାବରେ ସହମତି ପ୍ରକାଶ କରିଥିଲେ । ଅକ୍ଟୋବର ୩ ତାରିଖ ହୋଇଥିବା ଏହି ମାମଲାରେ ୪ଜଣ କୃଷକଙ୍କ ସମେତ ୮ଜଣଙ୍କର ମୃତ୍ୟୁ ହୋଇଥିଲା ।