ଯୁବତୀଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

ରାଇକିଆ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଦଡିଙ୍ଗିଆ ପଞ୍ଚାୟତର ଆମ୍ବେଦକର ନଗର ନିକଟରୁ ଜଣେ ଯୁବତୀଙ୍କ ମୃତ ଦେହ ଶୁକ୍ରବାର ସକାଳୁ ରାଇକିଆ ପୁଲିସ ଉଦ୍ଧାର କରିଛି। ମୃତ ଯୁବତୀ ଜଣକ ହେଲେ ଅଞ୍ଜୁତା ପ୍ରଧାନ। ବୁଧିଆପାଙ୍ଗା ଗ୍ରାମରେ ସେ ସମ୍ପର୍କୀୟଙ୍କ ଘରେ ରହୁଥିଲେ। ଗୁରୁବାର ସକାଳୁ ଫୁଲବାଣୀ ଯିବା ପାଇଁ କହି ଘରୁ ବାହାରି ଥିଲେ। ଅପରାହ୍ନରେ ଘରକୁ ଫୋନ୍ କରି ପହଞ୍ଚିଲା ବେଳେ ସନ୍ଧ୍ୟା ହୋଇଯିବ ବୋଲି କହିଥିଲେ। ସନ୍ଧ୍ୟା ୭ଟା ବେଳକୁ ତାଙ୍କ ନମ୍ବର ସ୍ଵିଚ୍ ଅଫ୍‌ ଥିବା ସମ୍ପର୍କୀୟ ବାପା ରାମ ପ୍ରଧାନ କହିଛନ୍ତି।

ସନ୍ଧ୍ୟା ସୁଦ୍ଧା ନ ଫେରିବାରୁ ଘର ଲୋକେ ଖୋଜାଖୋଜି କରି ପାଇନଥିଲେ। ଶୁକ୍ରବାର ସକାଳୁ ଆମ୍ବେଦକର ନଗର ନିକଟ ବୁଦା ମୂଳରୁ ତାଙ୍କ ମୃତ ଦେହ ପଡ଼ିଥିବା ଦେଖି ଗ୍ରାମବାସୀ ପୁଲିସକୁ ସୂଚନା ଦେଇଥିଲେ। ଏନେଇ ମୃତ ଯୁବତୀଙ୍କ ବାପା କିଶୋର ପ୍ରଧାନ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏନେଇ କେସ୍‌ ନ ୭୩/୨୨ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। କନ୍ଧମାଳ ଏସ୍‌ପି ଭିନିତ୍ ଅଗ୍ରୱାଲ ସାଇଣ୍ଟଫିକ ଟିମ୍ ସହ ତଦନ୍ତ କରି ଫେରିଛନ୍ତି।