ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନ୍ନୀତ ବିଦ୍ୟାଳୟ ଠାରେ ଜୁନିୟର ରେଡକ୍ରସ ଆନୁକୁଲ୍ୟରେ ଡାଇରିଆ ନିରାକରଣ ଉପଲକ୍ଷେ ଏକ ଜନ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କେରମେଲି ବିଦ୍ୟାଳୟର ପ୍ରଧାନଶିକ୍ଷକ ସରୋଜ ମିଶ୍ର ଓ ସମ୍ମାନିତ ଅତିଥି ଭାବେ ବ୍ଲକ୍ କଲୋନୀ ସିଆର୍ସିସି ଚିନ୍ତାମଣୀ ସାହୁ ଯୋଗଦେଇଥିଲେ। ବରିଷ୍ଠ ଶିକ୍ଷକ ବିଶ୍ୱନାଥ ମେହେର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଜୁନିଅର ରେଡକ୍ରସ୍ କାଉନସିଲର ରାମ ନାରାୟଣ ଦାସ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।
ଡାଇରିଆରୁ ରକ୍ଷା ପାଇବା ପାଇଁ ହାଲୋଜେନ ବଟିକା ପଡିଥିବା ପାଣି ବା ବିଶୁଦ୍ଧ ଫୁଟା ପାଣି ପିଇବା, ବାହାରେ ମଳତ୍ୟାଗ ନକରି ପାଇଖାନା ବ୍ୟବହାର କରିବା, ହାତକୁ ଭଲ ଭାବରେ ସର୍ବଦା ଧୋଇବା, ତଟକା ଏବଂ ଗରମ ଖାଦ୍ୟ ଖାଇବା, ତରଳ ଝାଡା ହେଲେ ଓଆର୍ଏସ୍ ଦ୍ରବତା ସହିତ ଜିଙ୍କ୍ ବଟିକା ୧୪ ଦିନ ପର୍ଯ୍ୟନ୍ତ ନିୟମିତ ସେବନ କରିବା ସହ ସ୍ୱାସ୍ଥ୍ୟକର୍ମୀ ତଥା ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ମୁଖ୍ୟଅତିଥି ଶ୍ରୀ ମିଶ୍ର ମତବ୍ୟକ୍ତ କରିଥିଲେ।
କାର୍ଯ୍ୟକ୍ରମରେ ଶିକ୍ଷକ ଲିଙ୍ଗରାଜ ନନ୍ଦ, ହିମାଂଶୁ ଶେଖର ବିଶ୍ୱାଳ, ସମୀର ସେଠୀ, ଦୀପକ ସେନ୍ ଧରୁଆ, ଶିକ୍ଷୟିତ୍ରୀ ଗାୟତ୍ରୀ ବାରିକ, କାନ୍ତୀ ଭାଇ, ଯଶୋବନ୍ତୀ ସୁନା, ଦ୍ରୋପଦୀ ଭୋଇ, ଆଶାକର୍ମୀ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷକ ସୁଦର୍ଶନ ଦାଶ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ରେଣୁକା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।