୭ ବର୍ଷିଆ ନାବାଳିକାକୁ ପଡୋଶୀର ଦୁଷ୍କର୍ମ ଅଭିଯୋଗ

ଝାରସୁଗଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅଞ୍ଚଳର ଏକ ୭ ବର୍ଷୀୟା ନାବାଳିକାକୁ ତାଙ୍କର ପଡୋଶୀ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ଝାରସୁଗୁଡା ଚାଇଲଡଲାଇନର ସହାୟତାରେ ନାବାଳିକାଙ୍କ ପରିବାର ଲୋକେ ବ୍ରଜରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ ଗତ ୧ ତାରିଖରେ ପୀଡିତା ନାବାଳିକାକୁ ତାଙ୍କ ବାପା ଟିଉସନରେ ଛାଡି ଆସିଥିଲେ। ତେବେ ଟିଉସନ ଛୁଟି ହେଲାବେଳେ ତାଙ୍କ ବାପାଙ୍କ କିଛି କାମ ଥିବାରୁ ନାବାଳିକାଙ୍କ ମା’ ତାଙ୍କ ପଡୋଶୀ ଯୁବକ ଗଣେଶ ଜାଲ(୨୬)କୁ ଝିଅକୁ ଆଣିବା ପାଇଁ ପଠାଇଥିଲେ। ଗଣେଶ ନାବାଳିକାକୁ ଆଣିବା ସମୟରେ ଏକ ନିଛାଟିଆ ରାସ୍ତା ଦେଖି ଦୁଷ୍କର୍ମ କରିଥିଲା। ଏହାସହ ନବାଳିକାକୁ ୫୦ ଟଙ୍କା ଦେଇ ଏ ବିଷୟରେ କାହାକୁ ନକହିବା ପାଇଁ କହିବା ସହ ଘଟଣା ବିଷୟରେ କାହାକୁ ଜଣାଇଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା। ଫଳରେ ନାବାଳିକା ଜଣଙ୍କ ଘରକୁ ଫେରି ତାଙ୍କୁ ଟିଉସନରୁ ଆଣିବା ପାଇଁ ଗଣେଶକୁ ନପଠାଇବାକୁ ମା’କୁ କହିଥିଲା। ମା ଏନେଇ ପଚାରିବାରୁ ନାବାଳିକା ଜଣଙ୍କ ସମ୍ପୂର୍ଣ୍ଣ କଥା କହିଥିଲା। ଏହାପରେ ପରିବାର ଲୋକେ ଚାଇଲଡଲାଇନର ସହାୟତାରେ ଅଭିଯୁକ୍ତ ବିରୋଧରେ ଥାନାରେ ମାମଲା ରୁଜୁ କରିଥିଲେ।