ଗୋଆରେ ରୋନାଲ୍‌ଡୋଙ୍କ ପ୍ରତିକୃତି ଅନାବରଣ

ପାନାଜୀ,ଏଜେନ୍ସି: ପର୍ତ୍ତୁଗାଲ୍‌ର କିଂବଦନ୍ତି ଫୁଟ୍‌ବଲ ତାରକା କ୍ରିଷ୍ଟିଆନୋ ରୋନାଲ୍‌ଡୋଙ୍କ ଏକ ପ୍ରତିକୃତି ବୁଧବାର ଏଠାରେ ଅନାବରଣ ହୋଇଛି। ଏହି ପ୍ରତିକୃତିର ଓଜନ ୪୧୦ କିଲୋଗ୍ରାମ୍‌ ରହିଥିଲା ବେଳେ ଏହାକୁ ତିଆରି କରିବାରେ ପ୍ରାୟ ୧୨ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ତିନି ବର୍ଷ ଧରି ଏହାର ନିର୍ମାଣ ଚାଲିଥିଲେ ମଧ୍ୟ କୋଭିଡ୍‌-୧୯ ମହାମାରୀ ପାଇଁ ଅନାବରଣ ହେବାରେ ବିଳମ୍ବ ହୋଇଥିଲା। ବୁଧବାର ସାକାର ରୂପନେଇଛି। ଏହି ପ୍ରତିକୃତି ବିଶେଷକରି ଗୋଆ ଏବଂ ଭାରତରେ ଫୁଟ୍‌ବଲ୍‌କୁ ପରବର୍ତୀ ସ୍ତରକୁ ନେବା ସହିତ ଯୁବପିଢ଼ିକୁ ପ୍ରେରିତ କରିବା ଲକ୍ଷ୍ୟରେ ସ୍ଥାପନ କରାଯାଇଥିବା କୁହାଯାଇଛି।

ପ୍ରଥମ ଥର ପାଇଁ ରୋନାଲ୍‌ଡୋଙ୍କ ପ୍ରତିକୃତି ଭାରତରେ ସ୍ଥାପନା କରାଯାଇଛି। ଏହାର ଉଦ୍ଦେଶ୍ୟ ଅନ୍ୟ କିଛି ନୁହେଁ, କେବଳ ଆମର ଯୁବ ପ୍ରତିଭାଙ୍କୁ ଫୁଟ୍‌ବଲ୍‌ ପ୍ରତି ଆକର୍ଷିତ କରିବା ଏବଂ ସେମାନଙ୍କ ସ୍ବପ୍ନ ସାର୍ଥକ କରିବା ଲକ୍ଷ୍ୟ ରହିଛି। ଫୁଟ୍‌ବଲ୍‌କୁ ପରବର୍ତୀ ସ୍ତରରେ ପହଞ୍ଚାଇବାକୁ ହେଲେ ଯୁବ (ବାଳକ ଓ ବାଳିକା) ପ୍ରତିଭାମାନେ ପ୍ରତିକୃତିକୁ ଦେଖି ଆଗକୁ ବଢ଼ିପାରିବେ, ପ୍ରତିକୃତି ସହ ସେଲ୍‌ଫି ଉଠାଇ ଫୁଟ୍‌ବଲ୍‌ ଖେଳିବାକୁ ପ୍ରେରଣା ପାଇପାରିବେ। ସରକାର, ପୌର ପରିଷଦ ଏବଂ ପଞ୍ଚାୟତର କାମ ହେଲା ଉନ୍ନତ ଭିତ୍ତିଭୂମି, ସୁନ୍ଦର ଫୁଟ୍‌ବଲ୍‌ ପଡ଼ିଆ, ଭଲ ଫୁଟ୍‌ସାଲ ପଡ଼ିଆ ଯୋଗାଇଦେବା।

ଆମେ ମଧ୍ୟ ସେହି ଦୃଷ୍ଟିରୁ ଆମ ବାଳକ ଓ ବାଳିକାଙ୍କ ପାଇଁ ଉନ୍ନତ ଭିତ୍ତିଭୂମି ପ୍ରସ୍ତୁତ କରିବାର ଆବଶ୍ୟକତା ରଖିଛୁ ବୋଲି ଅନାବରଣ ଉତ୍ସବରେ ଯୋଗଦେଇ କହିଛନ୍ତି ଗୋଆ ମନ୍ତ୍ରୀ ମାଇକେଲ ଲୋବୋ। ପୁଣି ସରକାର ମଧ୍ୟ ଯୁବ ପିଢ଼ି ପାଇଁ ଭିତ୍ତିଭୂମି ସାଙ୍ଗକୁ ଦକ୍ଷ ପ୍ରଶିକ୍ଷକ ନିଯୁକ୍ତ କରିପାରିବେ। ସରକାର ମଧ୍ୟ ଗୋଆ ପାଇଁ ଖେଳି ଭାରତକୁ ଗର୍ବିତ କରିଥିବା ପୂର୍ବତନ ଖେଳାଳିଙ୍କୁ ପ୍ରଶିକ୍ଷକ ଭାବେ ନିଯୁକ୍ତ କରିବାକୁ ଯୋଜନା କରିଥିବା ମନ୍ତ୍ରୀ କହିଥିଲେ। ସେ ପୁଣି କହିଥିଲେ, କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ଏହି ପ୍ରତିକୃତି ସ୍ଥାପନାକୁ ବିରୋଧ କରୁଛନ୍ତି। ସେମାନେ ଫୁଟ୍‌ବଲ୍‌ ଖେଳରେ ଦେଶ ଆଗକୁ ବଢୁ ବୋଲି ଚାହାନ୍ତିନି। ସେମାନେ ନିଶ୍ଚିତ ଫୁଟ୍‌ବଲ୍‌କୁ ଘୃଣା କରୁଥିବା ବିରୋଧରୁ ସ୍ପଷ୍ଟ ହୋଇଛି। ସେମାନେ ଫୁଟ୍‌ବଲ୍‌କୁ ଏକ ଧର୍ମ ଭାବେ ବିଚାର କରିବାକୁ ଚାହାନ୍ତିନି। ହେଲେ ସେମାନଙ୍କ ବିରୋଧରେ ମୁଁ ଅଧିକ କିଛି କହିପାରିବିନି ବୋଲି ମନ୍ତ୍ରୀ ଲୋବୋ କହିଥିଲେ।