‘ବିଳମ୍ବ’କୁ ନେଇ ବିରୋଧୀଙ୍କୁ ଟାର୍ଗେଟ କଲେ ମୋଦୀ

ହିମାଚଳପ୍ରଦେଶ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିମାଚଳପ୍ରଦେଶର ମଣ୍ଡୀରେ ଅନେକ ବିକାଶମୂଳକ କାର୍ଯ୍ୟର ଉଦଘାଟନ କରିବା ସହ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ବିଳମ୍ବର ବିଚାରଧାରା ରଖୁଥିବା ଲୋକମାନେ ହିମାଚଳ ଲୋକଙ୍କୁ ଦୀର୍ଘ ଦିନ ଧରି ଅପେକ୍ଷା କରାଇଛନ୍ତି। ସେଥିପାଇଁ ଅଟଳ ଟନେଲ ଲାଗି ଦୀର୍ଘ ବର୍ଷ ଅପେକ୍ଷା କରିବାକୁ ପଡ଼ିଲା। ରେଣୁକା ଜୀ ପରିଯୋଜନାକୁ ମଧ୍ୟ ୩ ଦଶକ ଲାଗିଲା।
ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ରାଜ୍ୟର ବିକାଶରେ ୨ଟି ମଡେଲ ରହିଛି। ଗୋଟିଏ ବିଳମ୍ବ ଆଉ ଅନ୍ୟଟି ବିକାଶ। ବିଳମ୍ବ ବିଚାରଧାରା ରଖୁଥିବା ଲୋକ ପାହାଡ଼ରେ ରହୁଥିବା ଲୋକଙ୍କ କଥା କେବେ ବି ଚିନ୍ତା କରିନାହାନ୍ତି। ଆମେ ଅଟଳ ଟନେଲ କାମ ପୁରା କରିଛୁ। ଆମେ ଚଣ୍ଡୀଗଡ଼ରୁ ମୋନାଲୀ ଏବଂ ଶିମଲାକୁ ଯୋଡ଼ିବା ପାଇଁ ସଡ଼କକୁ ଚଉଡ଼ା କରିଛୁ।

ହିମାଚଳ ପ୍ରଦେଶର ପ୍ରଶଂସା କରିବାକୁ ଯାଇ ମୋଦୀ କହିଛନ୍ତି ଯେ, କରୋନା ମହାମାରୀ ସମୟରେ ରାଜ୍ୟ ସମେତ ଦେଶକୁ ମଧ୍ୟ ହିମାଚଳ ସହାୟତା ପ୍ରଦାନ କରିଛି। ନିଜର ସବୁ ବୟସ୍କ ଜନସଂଖ୍ୟାକୁ ଟିକା ଦେବାରେ ମଧ୍ୟ ହିମାଚଳ ପ୍ରଦେଶ ସବୁଠୁ ଆଗରେ ରହିଛି।