ସ୍ୱର୍ଣ୍ଣ ମନ୍ଦିରରେ ପୁଣି ଯୁବକଙ୍କୁ ପିଟିପିଟି ହତ୍ୟା

ଚଣ୍ଡିଗଡ଼,ଏଜେନ୍ସି: ଦେବାଦେବୀଙ୍କ ପ୍ରତି ଅପମାନଜନକ କାର୍ଯ୍ୟ ସମ୍ପାଦନ ଅଭିଯୋଗରେ ରବିବାର ପଞ୍ଜାବରେ ପୁଣି ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଶନିବାର ସ୍ୱର୍ଣ୍ଣମନ୍ଦିର ପରିସରରେ ଏଭଳି ଘଟଣା ଦେଖିବାକୁ ମିଳିଥିବାବେଳେ ରବିବାର ଏହାର ପୁନରାବୃତ୍ତି ଘଟିଥିବାରୁ ରାଜ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ରବିବାର ଭୋର ୪ଟା ସମୟରେ ଯୁବକଜଣକ ସ୍ୱର୍ଣ୍ଣମନ୍ଦିରରେ ପ୍ରବେଶ କରି ନିଶାନ ସାହିବ (ଶିଖ୍ ସଂପ୍ରଦାୟଙ୍କ ଧାର୍ମିକ ପତାକା)କୁ ଅସମ୍ମାନ କରୁଥିବା ଲକ୍ଷ୍ୟ କରାଯାଇଥିଲା। ଫଳରେ ସେଠାରେ ଉପସ୍ଥିତ ଲୋକେ ଠେଙ୍ଗାରେ ପିଟି ତାଙ୍କୁ ଗୁରୁତର ଆହତ କରିଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଯୁବକଙ୍କୁ ଡାକ୍ତରଖାନା ନେଇଥିଲେ ସୁଦ୍ଧା ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ ଶନିବାର ହଳଦିଆ ପଗଡି ପରିଧାନ କରିଥିବା ୨୦ ବର୍ଷର ଜଣେ ଯୁବକ ସ୍ୱର୍ଣ୍ଣମନ୍ଦିର ପରିସରରେ ପ୍ରବେଶ କରି ଗୁରୁ ଗ୍ରନ୍ଥ ସାହେବ ପୁସ୍ତିକାକୁ ଚିରିବାକୁ ଉଦ୍ୟମ କରିବା ସହ ସେଠାରେ ରଖାଯାଇଥିବା ଏକ ସୁନାର ଖଣ୍ଡା ଉଠାଇବାକୁ ଉଦ୍ୟମ କରିଥିଲେ। ସେଠାରେ ଉପସ୍ଥିତ ପୁରୋହିତ ଏହାର ପ୍ରତିବାଦ କରିବାପରେ ସମବେତ ଜନତା ଉକ୍ତ ଯୁବକଙ୍କୁ ପିଟିପିଟି ମାରିଦେଇଥିଲେ। ଆସନ୍ତାବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ସରକାରଙ୍କୁ ବଦନାମ କରିବାକୁ ଏଭଳି ଚକ୍ରାନ୍ତ କରାଯାଉଛି ବୋଲି କ୍ଷମତାସୀନ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି।

ତଦନ୍ତ ପାଇଁ ଏସ୍‌ଆଇଟି ଗଠିତ
ସ୍ୱର୍ଣ୍ଣମନ୍ଦିର ପରିସରରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଘଟଣାର ତଦନ୍ତ ନିମନ୍ତେ ପଞ୍ଜାବ ସରକାର ରବିବାର ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଗଠନ କରିଛନ୍ତି। ଅମୃତସର ଡିସିପି ଏହି ଏସ୍‌ଆଇଟିର ନେତୃତ୍ୱ ନେବେ ବୋଲି ଜଣାପଡିଛି। ଆସନ୍ତା ମଙ୍ଗଳବାର ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ଏସ୍‌ଆଇଟିକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱର୍ଣ୍ଣମନ୍ଦିର ଘଟଣାକୁ ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂହ ରଣଧାୱା ତୀବ୍ର ନିନ୍ଦା କରିଛନ୍ତି। ଏହି ଘଟଣାରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇନଥିଲେ ସୁଦ୍ଧା ସେମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।