ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଲଇକେରା ଥାନା ଅନ୍ତର୍ଗତ କିର୍ମିରା ବ୍ଲକ ଝାରମୁଣ୍ଡା ପଞ୍ଚାୟତ କୁଜିମାଳ ଗ୍ରାମର ଏକ ପରିତ୍ୟକ୍ତ କୂଅରୁ ଜଣେ ଅଚିହ୍ନା ଯୁବକର ଶବ ଉଦ୍ଧାର କରାଯାଇଛି। ସ୍ଥାନୀୟ ସରପଞ୍ଚ ନଟୱର ଅଗ୍ରୱାଲଙ୍କ ଇଟା ଫ୍ୟାକ୍ଟ୍ରି ପଛ ପଟରେ ଥିବା ପରିତ୍ୟକ୍ତ କୂଅରୁ ଲଇକେରା ଥାନାଧିକାରୀ ପ୍ରବୀର କିଶୋର ତ୍ରିପାଠୀ, ବାଗଡ଼ିହି ଫାଣ୍ଡି ଅଧିକାରୀ ଶରତଚନ୍ଦ୍ର ଦ୍ୱିବେଦୀ, କିର୍ମିରା ଫାୟାର ଟିମ୍, ଝାରସୁଗୁଡ଼ା ସାଇଣ୍ଟିଫିକ ଟିମଙ୍କ ଉପସ୍ଥିତିରେ ଶବ ଉଦ୍ଧାର କରାଯାଇଛି। ଯୁବକର ବୟସ ପାଖାପାଖି ୩୫ ବର୍ଷ ହୋଇଥିବାବେଳେ ଦେହର ଅନେକ ଅଂଶରେ ଟାଟୁ ଖୋଦେଇ ରହିଥିବାର ଦେଖିବାକୁ ମିଳିଛି। ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୁଲିସ ଏବେ ଯୁବକଙ୍କ ପରିଚୟ ଖୋଜିବା ପାଇଁ ପ୍ରୟାସ ଜାରି ରଖିଥିବାବେଳେ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।