ଭାରତ ବିପକ୍ଷ ଟେଷ୍ଟ୍ ସିରିଜ୍ ପାଇଁ ସାଉଥ୍ ଆଫ୍ରିକା ଦଳ ଘୋଷିତ

ଜୋହାନ୍ସବର୍ଗ,ଏଜେନ୍ସି: ବକ୍ସିଂ ଡେ’ ଟେଷ୍ଟ୍ ସହ ଆସନ୍ତା ୨୬ରୁ ଭାରତର ସାଉଥ୍ ଆଫ୍ରିକା ଗସ୍ତ ଆରମ୍ଭ ହେବ। ଏହି ସିରିଜ୍‌ରେ ଭାରତ ୩ଟି ଲେଖାଏଁ ଟେଷ୍ଟ୍ ଓ ଦିନିକିଆ ଖେଳିବାକୁ ଥିବା ବେଳେ ମଙ୍ଗଳବାର ଘରୋଇ ସାଉଥ୍ ଆଫ୍ରିକାର ଏକ ୨୧ଜଣିଆ ଟିମ୍ ଘୋଷଣା କରାଯାଇଛି। କ୍ରିକେଟ୍ ସାଉଥ୍ ଆଫ୍ରିକା (ସିଏସ୍‌ଏ) ପକ୍ଷରୁ ହୋଇଥିବା ଏହି ଟିମ୍ ଚୟନ ପରେ ଦଳକୁ ପେସର୍ ଡୁଏନ୍ ଓଲିଭିର୍ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଶେଷ ଥର ପାଇଁ ଗତ ୨୦୧୯ରେ ଏହି ପେସର୍ ଜଣକ ଦଳ ପକ୍ଷରୁ ଟେଷ୍ଟ୍ ଫର୍ମାଟ୍‌ରେ ପ୍ରତିନିଧିତ୍ୱ କରିଥିଲେ। ଏହାଛଡ଼ା ଟିମ୍‌ରେ ୪ ଜଣ ଯୁବ ଖେଳାଳିଙ୍କୁ ସାମିଲ୍ କରାଯାଇଛି। ସେମାନେ ହେଲେ ବୋଲର୍ ଗ୍ଲେଣ୍ଟନ୍ ଷ୍ଟୁରମାନ୍‌, ପ୍ରେନେଲାନ୍ ସୁବ୍ରାୟେନ୍‌, ୱିକେଟ୍‌କିପର୍‌-ବ୍ୟାଟ୍ସମ୍ୟାନ୍ ରାନ୍ ରିକେଲ୍‌ଟନ୍ ଓ ବୋଲର୍ ସିସାନ୍ଦା ମାଗାଲା। ଏହାଛଡ଼ା ନେଦରଲାଣ୍ଡ୍‌ସ ବିପକ୍ଷ ଦିନିକିଆ ସିରିଜ୍‌ରେ ବିଶ୍ରାମ ପାଇଥିବା କାଗିସୋ ରବାଡା, କ୍ୱିଣ୍ଟନ୍ ଡି’ କକ୍ ଓ ଆନରିଚ୍ ନୋର୍ଜେ ଏହି ଟିମ୍‌କୁ ଫେରିଛନ୍ତି।

ଭାରତ ପରି ଏକ ଶକ୍ତିଶାଳୀ ଟିମ୍‌କୁ ଚାଲେଞ୍ଜ୍ ଦେବା ଭଳି ଟିମ୍ ଚୟନ ନେଇ ସିଏସଏ ମନୋନୟନ କମିଟି ଉପରେ ଚାପ ଥିବା ବେଳେ ଏହି ଟେଷ୍ଟ୍ ସିରିଜ୍ ମାଧ୍ୟମରେ ଘରୋଇ ଦଳ ତା’ର ଦ୍ୱିତୀୟ ୱାର୍ଲ୍ଡ ଟେଷ୍ଟ୍ ଚାମ୍ପିଅନ୍‌ଶିପ୍‌ରେ ଅଭିଯାନ ଆରମ୍ଭ କରିବ। ଗୋଟିଏ ପଟେ ଓଲିଭିର୍ ୨୦୧୭ରେ ଡେବ୍ୟୁ କରିବା ପରଠାରୁ ଅଦ୍ୟାବଧି ୧୦ଟି ଟେଷ୍ଟ୍ ଖେଳିସାରିଛନ୍ତି। କୋଲପାକ୍ ଡିଲ୍ ବାତିଲ୍ କରିବା ପରେ ପୁଣିଥରେ ଜାତୀୟ ଟିମ୍‌ରେ ସାମିଲ୍ ହୋଇପାରିଥିବା ଓଲିଭିର୍ ୪-ଡେ ଫ୍ରାଞ୍ଚାଇଜ୍ ସିରିଜ୍‌ରେ ୪ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୨୮ଟି ୱିକେଟ୍ ନେଇ ଚୟନ କମିଟି ସଦସ୍ୟଙ୍କୁ ପ୍ରଭାବିତ କରିପାରିଛନ୍ତି। ଏଥି ମଧ୍ୟରେ ୯୫ ରନ୍‌ରେ ୯ଟି ୱିକେଟ୍ ତାଙ୍କର ଶ୍ରେଷ୍ଠ ସଫଳତା ରହିଛି। ଏହାଛଡ଼ା ଘରୋଇ କ୍ରିକେଟ୍‌ରେ ରିକେଲଟନ୍ ଦୁଇଟି ଶତକ କରିଥିବା ବେଳେ ଇଣ୍ଡିଆ-ଏ’ ବିପକ୍ଷ ଅନ୍‌ଅଫିସିଆଲ୍ ଟେଷ୍ଟ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଷ୍ଟୁରମାନ୍ ୭ଟି ୱିକେଟ୍ ନେଇଥିଲେ। ଏହାଛଡ଼ା ମାଗାଲା ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ୧୫ଟି ୱିକେଟ୍ ନେଇ ନେଦରଲାଣ୍ଡ୍‌ସ ବିପକ୍ଷରେ ଅନ୍ତର୍ଜାତୀୟ ଡେବ୍ୟୁ କରିସାରିଛନ୍ତି। ଆହୁରି ଯୁବ ପେସର୍ ଲୁଙ୍ଗି ଏନ୍‌ଗିଡି କୋଭିଡ୍‌ମୁକ୍ତ ହେବା ପରେ ତାଙ୍କୁ ଟିମ୍‌ରେ ସାମିଲ୍ କରାଯାଇଛି।

ଘୋଷିତ ଟିମ୍‌: ଡିନ୍ ଏଲଗାର (ଅଧିନାୟକ), ଟେମ୍ବା ବାଭୁମା (ଉପଅଧିନାୟକ), କ୍ୱିଣ୍ଟନ୍ ଡି’କକ୍ (ୱିକେଟ୍‌କିପର୍‌), କାଗିସୋ ରବାଡା, ସାରେଲ୍ ଏରୱି, ବିଉରନ୍ ହେଣ୍ଡ୍ରିକ୍ସ, ଜର୍ଜ ଲିଣ୍ଡେ, କେଶବ ମହାରାଜ, ଲୁଙ୍ଗି ଏନ୍‌ଗିଡି, ଆଇଡେନ୍ ମାର୍କରାମ୍‌, ୱିଆନ୍ ମୁଲଡର୍‌, ଆନରିଚ୍ ନୋର୍ଜେ, କିଗାନ୍ ପିଟରସନ୍‌, ରାସି ଭାନ୍ ଡର୍ ଡୁସେନ୍‌, କାଇଲ୍ ଭେରେନି, ମାର୍କୋ ଜାନସନ୍‌, ଗ୍ଲେଣ୍ଟନ୍ ଷ୍ଟୁରମାନ୍‌, ପ୍ରେନେଲାନ୍ ସୁବ୍ରାୟେନ୍‌, ସିସାନ୍ଦା ମାଗାଲା, ର‌୍ୟାନ୍ ରିକେଲଟନ୍ ଓ ଡୁଏନ୍ ଓଲିଭିର୍।