ଆଇସିସି ପ୍ଲେୟର୍ ଅଫ୍ ଦି ମନ୍ଥ ପୁରସ୍କାର, ଦୌଡ଼ରେ ୱାର୍ଣ୍ଣର୍‌, ସାଉଦି ଓ ଆବିଦ୍

ଦୁବାଇ,ଏଜେନ୍ସି: ଆଇସିସି ପକ୍ଷରୁ ଜାରି ରହିଥିବା ପ୍ଲେୟର୍ ଅଫ୍ ଦି ମନ୍ଥ ପୁରସ୍କାର ଦୌଡ଼ରେ ସାମିଲ୍ ହୋଇଛନ୍ତି ଅଷ୍ଟ୍ରେଲୀୟ ଓପନର ଡେଭିଡ୍ ୱାର୍ଣ୍ଣର୍‌, ପାକିସ୍ତାନର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଆବିଦ୍ ଅଲୀ ଏବଂ ନ୍ୟୁଜିଲାଣ୍ଡ୍‌ର ଭେଟେରାନ୍ ପେସର୍ ଟିମ୍ ସାଉଦି। ମଙ୍ଗଳବାର ଆଇସିସି ପକ୍ଷରୁ ନଭେମ୍ବର ମାସ ପାଇଁ ଏହି ପୁରସ୍କାର ସକାଶେ ଖେଳାଳିଙ୍କ ନାମ ଶର୍ଟଲିଷ୍ଟ୍ କରାଯିବା ପରେ ଏହି ତିନି କ୍ରିକେଟର୍‌ଙ୍କ ନାମ ସାମ୍ନାକୁ ଆସିଛି। ସେହିପରି ମହିଳା ବିଭାଗରେ ପାକିସ୍ତାନର ବାମହାତୀ ସ୍ପିନର୍ ଅନମ୍ ଆମୀନ୍ ଓ ବାଂଲାଦେଶର ନାହିଦା ଅଖ୍‌ତାରଙ୍କ ନାମ ସାମିଲ୍ ରହିଛି। ଆହୁରି ୱେଷ୍ଟ୍‌ଇଣ୍ଡିଜ୍ ଅଲ୍‌ରାଉଣ୍ଡର୍ ହାଲେ ମାଥ୍ୟୁଜ୍ କ୍ରମାଗତ ଭାବେ ଦ୍ୱିତୀୟ ମାସରେ ଏହି ପୁରସ୍କାର ଦୌଡ଼ରେ ରହିଛନ୍ତି। ଗତ ନଭେମ୍ବରେ କ୍ରିକେଟ୍‌ର ତିନିଟିଯାକ ଫର୍ମାଟ୍‌ରେ ପ୍ରଦର୍ଶନ ଆଧାରରେ ଏହି ପୁରସ୍କାର ପାଇଁ ଖେଳାଳିମାନଙ୍କ ନାମ ଶର୍ଟଲିଷ୍ଟ୍ କରାଯାଇଛି। ଏଥିରେ ୟୁଏଇ ଓ ଓମାନ୍‌ଠାରେ ଖେଳାଯାଇଥିବା ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ମଧ୍ୟ ସାମିଲ୍ ରହିଛି।

ଆଇସିସି ଭୋଟିଂ ଏକାଡେମୀର ମତାମତ ସହ ବିଶ୍ୱର ବିଭିନ୍ନ କୋଣରୁ ପ୍ରଶଂସକମାନେ ମଧ୍ୟ ସେମାନଙ୍କ ପସନ୍ଦର ଖେଳାଳିଙ୍କ ସପକ୍ଷରେ ଭୋଟ୍ ଦେଇପାରିବେ। ଆସନ୍ତା ରବିବାର ସୁଦ୍ଧା ପ୍ରଶଂସକମାନେ ଭୋଟ୍ କରିବାର ସୁଯୋଗ ପାଇପାରିବେ ବୋଲି ଆଇସିସି ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ୱାର୍ଣ୍ଣର୍ ଟି-୨୦ ବିଶ୍ୱକପ୍‌ରେ ପ୍ଲେୟର୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ୍ ବିବେଚିତ ହୋଇଥିଲେ। ସେ ଏହି ଟୁର୍ଣ୍ଣାମେଣ୍ଟ୍‌ରେ ପାକିସ୍ତାନ ବିପକ୍ଷ ସେମିଫାଇନାଲ୍‌ରେ ୪୯ ଏବଂ ନ୍ୟୁଜିଲାଣ୍ଡ୍ ବିପକ୍ଷ ଫାଇନାଲ୍‌ରେ ୫୩ ରନ୍ କରି ଦଳକୁ ପ୍ରଥମ ଟାଇଟଲ୍ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ୪ଟି ଟି-୨୦ ମୁକାବିଲାରେ ସେ ୬୯.୬୬ ହାରରେ ୨୦୯ ରନ୍ ସଂଗ୍ରହ କରିଥିଲେ ଓ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୫୧.୪୪ ରହିଥିଲା। ସେହିପରି ଆବିଦ୍ ଆଇସିସି ୱାର୍ଲ୍ଡ ଟେଷ୍ଟ୍ ଚାମ୍ପିଅନ୍‌ଶିପ୍‌ର ଦ୍ୱିତୀୟ ସଂସ୍କରଣରେ ଦଳର ପ୍ରଥମ ମୁକାବିଲାରେ ବାଂଲାଦେଶ ବିପକ୍ଷରେ ୧୩୩ ଓ ୯୧ ରନ୍ କରିବା ଫଳରେ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ଏହାଛଡ଼ା ସାଉଦି କାନପୁରଠାରେ ଖେଳାଯାଇଥିବା ଭାରତ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ୮ଟି ୱିକେଟ୍ ନେଇଥିଲେ। ଏହା ପୂର୍ବରୁ ଟି-୨୦ ବିଶ୍ୱକପ୍‌ରେ ସେ ୭ଟି ୱିକେଟ୍ ନେଇ ଦଳକୁ ଫାଇନାଲ୍‌ରେ ପହଞ୍ଚାଇବାରେ ନିର୍ଣ୍ଣାୟକ ଭୂମିକା ନେଇଥିଲେ। ତା’ଛଡ଼ା ସେ ଭାରତ ବିପକ୍ଷ ଟି-୨୦ ସିରିଜ୍‌ରେ ମଧ୍ୟ ୩ଟି ୱିକେଟ୍ ନେଇଛନ୍ତି। ଏହାଛଡ଼ା ନାହିଦା ମାତ୍ର ଓଭର୍ ପିଛା ୨.୨୨ ରନ୍ ବ୍ୟୟ କରି ୪ଟି ଦିନିକିଆରେ ୧୩ଟି ୱିକେଟ୍ ନେଇଛନ୍ତି।

ସେହିପରି ଅନମ୍ ମଧ୍ୟ ଗତ ନଭେମ୍ବରରେ ୧୩ଟି ଦିନିକିଆ ୱିକେଟ୍ ନେଇଛନ୍ତି ଓ ଏଥିପାଇଁ ସେ ଓଭର୍ ପିଛା ମାତ୍ର ୩ ରନ୍ ବ୍ୟୟ କରିଛନ୍ତି। ସେ ୱେଷ୍ଟ୍‌ଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍‌ରେ ୯ଟି ୱିକେଟ୍ ନେଇ ସବୁଠାରୁ ସଫଳ ବୋଲର୍ ରହିଥିଲେ। ଏହାପରେ ସେ ଆଇସିସି ମହିଳା କ୍ରିକେଟ୍ ୱାର୍ଲ୍ଡକପ୍ କ୍ୱାଲିଫାୟର୍‌ରେ ୪ଟି ୱିକେଟ୍ ହାସଲ କରିଥିଲେ। ସେହିପରି ମାଥ୍ୟୁଜ୍ ଗତ ଜୁଲାଇ ମାସରେ ତାଙ୍କ ଦଳର ଅଧିନାୟକ ଷ୍ଟେଫାନି ଟେଲରଙ୍କ ସହ ପ୍ଲେୟର୍ ଅଫ୍ ଦି ମନ୍ଥ ଦୌଡ଼ରେ ସାମିଲ୍ ହୋଇଥିଲେ। ସେ ଆଲୋଚ୍ୟ ସମୟ ମଧ୍ୟରେ ୪ଟି ଦିନିକିଆ ଖେଳି ୧୪୧ ରନ୍ କରିବା ସହ ୧୩.୧୧ ହାରରେ ୯ଟି ୱିକେଟ୍ ନେଇଛନ୍ତି।