ଆଜିଠାରୁ ଅଷ୍ଟ୍ରେଲିଆ-ଇଂଲଣ୍ଡ ଆଶେସ୍ ଲଢ଼େଇ

ବ୍ରିସ୍‌ବେନ୍‌,ଏଜେନ୍ସି: ବୁଧବାରଠାରୁ ଏଠାକାର ଗାବା ଗ୍ରାଉଣ୍ଡ୍‌ରେ ଆରମ୍ଭ ହେଉଛି ଆଶେସ୍ ଟେଷ୍ଟ୍ ସିରିଜ୍। ଏହି ଲଢ଼େଇରେ ଅବତୀର୍ଣ୍ଣ ହେବା ସକାଶେ ଇତିମଧ୍ୟରେ ଅଷ୍ଟ୍ରେଲିଆରେ ପହଞ୍ଚିସାରିଛି ଭ୍ରମଣକାରୀ ଇଂଲିଶ୍ ଟିମ୍। ଏହି ଗୁରୁତ୍ୱପୂର୍ଣ୍ଣ ସିରିଜ୍ ପୂର୍ବରୁ ସ୍କାଣ୍ଡାଲ୍ ପରିପ୍ରେକ୍ଷୀରେ ଅଷ୍ଟ୍ରେଲିଆ ଦଳର ଅଧିନାୟକ ପଦରୁ ଟିମ୍ ପେନ୍‌ଙ୍କ ଇସ୍ତଫା ହେଉ ଅବା ୟର୍କଶାୟରଠାରେ ଅଣଶ୍ୱେତାଙ୍ଗଙ୍କ ପ୍ରତି ଭେଦଭାବ ମନୋଭାବ ଅଭିଯୋଗ ବେଶ୍ ଚର୍ଚ୍ଚାରେ ରହିଥିଲା। କିନ୍ତୁ ଏସବୁକୁ ପଛରେ ପକାଇ ଦୁଇ ଟିମ୍ ପୁଣିଥରେ ସେମାନଙ୍କ ମଧ୍ୟରେ ରହିଥିବା ପୁରୁଣା ପ୍ରତିଦ୍ୱନ୍ଦ୍ୱିତାର ଶୁଭାରମ୍ଭ କରିବେ ବୋଲି ଇଂଲିଶ୍ ଅଲ୍‌ରାଉଣ୍ଡର୍ କ୍ରିସ୍ ଓକ୍ସ ମତ ଦେଇଛନ୍ତି।

ଅଷ୍ଟ୍ରେଲିଆ ଟିମ୍ ଆଶେସ୍ ଟ୍ରଫି ବଜାୟ ରଖିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବାକୁ ଥିବା ବେଳେ ଦଳର ନୂଆ ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ପାଇଁ ଏହା ନିଶ୍ଚିତ ଭାବେ ସବୁଠାରୁ ବଡ଼ ଚାଲେଞ୍ଜ୍ ହେବ। ଅଷ୍ଟ୍ରେଲିଆ କ୍ରିକେଟ୍‌ରେ କେବଳ ଦ୍ୱିତୀୟ ପେସର୍ ଓ ୧୯୫୬ ପରେ ପ୍ରଥମ ପେସର୍ ଭାବେ ନେତୃତ୍ୱ ଦାୟିତ୍ୱ ପାଇଥିବା କମିନ୍ସଙ୍କ ଉପରେ ଚାପ ନିଶ୍ଚିତ ଦ୍ୱିଗୁଣିତ ହେବ। ଗୋଟିଏ ପଟେ ଦଳର ଅଧିନାୟକ ଦାୟିତ୍ୱ ଓ ଅନ୍ୟପଟେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍‌ରେ ପ୍ରମୁଖ ପେସର୍‌ର ଭୂମିକା କିପରି ତୁଲାଉଛନ୍ତି, ତାହା ଉପରେ ସମସ୍ତ କ୍ରିକେଟ୍‌ପ୍ରେମୀଙ୍କ ନଜର ରହିବ। ଅବଶ୍ୟ ଅଷ୍ଟ୍ରେଲୀୟ ଖେଳାଳି ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପ୍‌ରେ ଚାମ୍ପିଅନ୍ ହେବା ପରେ ଟେଷ୍ଟ୍ ସିରିଜ୍ ଖେଳୁଥିବାରୁ ସେମାନଙ୍କ ମନୋବଳ ନିଶ୍ଚିତ ଭାବେ ଦୃଢ଼ ରହିଥିବ। କମିନ୍ସ ଦଳର ଅଧିନାୟକ ଦାୟିତ୍ୱ ପାଇଥିଲେ ମଧ୍ୟ ପୂର୍ବତନ ଅଧିନାୟକ ତଥା ଦଳର ଉପଅଧିନାୟକ ଭାବେ ନିଯୁକ୍ତି ଷ୍ଟିଭେନ୍ ସ୍ମିଥ୍‌ଙ୍କ ସହଯୋଗରେ ହିଁ ଏହି ଭୂମିକା ନିର୍ବାହ କରିବେ ବୋଲି ସ୍ପଷ୍ଟ କରିସାରିଛନ୍ତି। କିନ୍ତୁ ଏସବୁ ସତ୍ତ୍ୱେ ବି ଆଶେସ୍ ପରି ଗୁରୁତ୍ୱପୂର୍ଣ୍ଣ ସିରିଜ୍ ସହ ଅଧିନାୟକ କ୍ୟାରିୟର୍ ଆରମ୍ଭ କରିବା ଯେ ଏକ ମସ୍ତବଡ଼ ଚାଲେଞ୍ଜ୍‌, ଏଥିରେ କେହି ବି ଦ୍ୱିମତ ହେବେ ନାହିଁ।

ଶେଷ ଥର ପାଇଁ ଅଷ୍ଟ୍ରେଲିଆ ଚଳିତ ବର୍ଷ ପ୍ରାରମ୍ଭରେ ଭାରତଠାରୁ ଘରୋଇ ମାଟିରେ ପରାସ୍ତ ହୋଇଥିଲା। ଆଶେସ୍ ସିରିଜ୍‌କୁ ଓହ୍ଲାଇବା ପୂର୍ବରୁ ଅବଶ୍ୟ ଘରୋଇ ଦଳର ଖେଳାଳିମାନେ ଏହି ପରାଜୟକୁ ପଛରେ ପକାଇ ଆଗକୁ ବଢ଼ିବାରେ ବିଶ୍ୱାସ କରିବେ। ଭାରତ ଗାବାରେ ଅଷ୍ଟ୍ରେଲିଆର ୩୩ ବର୍ଷ ଧରି ଜାରି ରହିଥିବା ଆଧିପତ୍ୟକୁ ଶେଷ କରି ଘରୋଇ ଦଳର ଦୁର୍ଗକୁ ଦଖଲ କରିଥିଲା। ଅନ୍ୟପକ୍ଷରେ ଭ୍ରମଣକାରୀ ଇଂଲଣ୍ଡ ପାଇଁ ଦଳର ଅଧିନାୟକ ଜୋ ରୁଟ୍ ମୁଖ୍ୟ ଅସ୍ତ୍ର ହେବେ। କାରଣ ଏହି ବ୍ୟାଟ୍ସମ୍ୟାନ୍ ଜଣକ ଚଳିତ ବର୍ଷ ୧୨ଟି ଟେଷ୍ଟ୍‌ରେ ୬୬ ରନ୍‌ର ଜବରଦସ୍ତ ଆଭରେଜ୍ ସହ ୧ ହଜାର ୪୫୫ ରନ୍ କରିଛନ୍ତି। କିନ୍ତୁ ଗାବାରେ ଏହି ଦଳର ପ୍ରଦର୍ଶନ ବେଶ୍ ନୈରାଶ୍ୟଜନକ ରହିଥିବାରୁ ସିରିଜ୍‌ରେ ଅଷ୍ଟ୍ରେଲିଆକୁ ପ୍ରାରମ୍ଭିକ ଫାଇଦା ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ଦୁଇ ଦଳ ମଧ୍ୟରେ ଏଠାରେ ୨୧ଟି ମ୍ୟାଚ୍ ଖେଳାଯାଇଛି। ଏଥିରୁ ଅଷ୍ଟ୍ରେଲିଆ ୧୨ଟିରେ ଓ ଇଂଲଣ୍ଡ ମାତ୍ର ୪ଟିରେ ବିଜୟୀ ହୋଇପାରିଛି।

ଶେଷ ଥର ପାଇଁ ଇଂଲଣ୍ଡ ଗାବା ମାଟିରେ ୩୫ ବର୍ଷ ତଳେ ବିଜୟ ସ୍ୱାଦ ଚାଖିଥିଲା। ଅଧିକନ୍ତୁ ଗତ ୨୦୧୦-୧୧ ପରଠାରୁ ଅଷ୍ଟ୍ରେଲିଆରେ ଇଂଲଣ୍ଡ ୧୦ଟି ମ୍ୟାଚ୍‌ରୁ ୯ଟିରେ ପରାଜୟ ବରଣ କରିଛି। ଗତ ଦୁଇଟି ଗସ୍ତରେ ଦଳର ଅଧିନାୟକ ନିଜେ ରୁଟ୍ ରହିଥିଲେ ମଧ୍ୟ ସେ ଘରୋଇ ଦଳକୁ ଚାଲେଞ୍ଜ୍ ଦେବାରେ ସକ୍ଷମ ହୋଇନାହାନ୍ତି। ଅବଶ୍ୟ ଦଳକୁ ଅଲ୍‌ରାଉଣ୍ଡର୍ ବେନ୍ ଷ୍ଟୋକ୍ସ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତା’ଛଡ଼ା ଚୂଡ଼ାନ୍ତ ଏକାଦଶରେ ଜନ୍ନି ବେୟାର୍‌ଷ୍ଟୋଙ୍କ ବଦଳରେ ଓଲି ପୋପ୍‌ଙ୍କୁ ସାମିଲ୍ କରାଯାଇଛି। କିନ୍ତୁ ଦଳର ଭେଟେରାନ୍ ପେସର୍ ତଥା ରେକର୍ଡ ୱିକେଟ୍ ହାସଲକାରୀ ବୋଲର୍ ଜେମ୍ସ ଆଣ୍ଡର୍‌ସନ୍ ପ୍ରଥମ ଟେଷ୍ଟ୍ ପାଇଁ ଉପଲବ୍ଧ ହେଉ ନ ଥିବାରୁ ତାଙ୍କୁ ଦଳ ନିଶ୍ଚିତ ଭାବେ ମିସ୍ କରିବ।