ଡେଲାଙ୍ଗ,ଏନ୍ଏନ୍ଏସ୍: ସମ୍ଭାବ୍ୟ ସାମୁଦ୍ରିକ ଝଡ ‘ଜୱାଦ’କୁ ନେଇ ଜିଲ୍ଲାପାଳ ଭିସିରେ ପ୍ରଶାସନିକ ଅଧିକାରୀ ମାନଙ୍କୁ ସଜାଗ ରହିବା ପାଇଁ ପରାମର୍ଶ ଦେଇଥିବା ବେଳେ ଗତକାଲି ମଧ୍ୟ ରାତ୍ରିରେ ବିଧାୟକ ରୁଦ୍ରପ୍ରତାପ ମହାରଥୀ ବାତ୍ୟାଆଶ୍ରୟ ସ୍ଥଳ ପରିଦର୍ଶନ କରିଥିଲେ। ତାଙ୍କ ସହିତ ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ବିଡିଓ ଦିଲ୍ଲୀପ କୁମାର ଷଡଙ୍ଗୀ, ତହସିଲଦାର ନିବେଦିତା ପରିଡା, ଆଇଆଇସି ଅନିଲ କୁମାର ମହାନ୍ତି, ଅଗ୍ନିଶମ ବାହିନୀ ଅଧିକାରୀ ଚନ୍ଦ୍ରଶେଖର ଜେନା, ପିପିଲି ଆତ୍ମାର ଅଧ୍ୟକ୍ଷ ଧରଣୀଧର ସାହୁ ପ୍ରମୁଖ ଉପସ୍ଥିତ ରହି କଲ୍ୟାଣପୁର, ଗୁଡୁପାଇଲୋ, ଅଭୟମୁଖି, ଧାନକେରା ପ୍ରଭୃତିରେ ଥିବା ବାତ୍ୟା ଆଶ୍ରୟ ସ୍ଥଳ ପରିଦର୍ଶନ କରିଥିଲେ। ବାତ୍ୟା ପ୍ରକୋପ କମ୍ ରହିବ ବୋଲି ପାଣିପାଗ ବିଭାଗ କହୁଥିବା ବେଳେ ବିପନ୍ନ ମାନଙ୍କ ନିମନ୍ତେ କିପରି ସୁବିଧା କରାଯାଇଛି ତାହା ପଚାରି ବୁଝିଥିଲେ।
ଆଜି ବିଧାୟକ ଶ୍ରୀ ମହାରଥୀ ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟରେ ସାମୁଦ୍ରିକା ଝଡ ‘ଜୱାଦ’ର ସମୀକ୍ଷା କରିଥିଲେ। ବାତ୍ୟାକୁ ଆଖିଆଗରେ ରଖି କିକି ପଦକ୍ଷେପ ନିଆଯାଇଛି, ସେ ସମ୍ପର୍କରେ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ଷଡଙ୍ଗୀଙ୍କ ସହିତ ଆଲୋଚନା କରିଥିଲେ। ବ୍ଲକ ପ୍ରଶାସନ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ନମ୍ବର ଜାରି କରାଯାଇଛି। ତହସିଲ ଓ ବ୍ଲକ କାର୍ଯ୍ୟଳୟର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ବାତ୍ୟା ସମୟରେ ସମସ୍ତ କର୍ମଚାରୀ ହେଡକ୍ୱାଟରରେ ଉପସ୍ଥିତ ରହିବା ସହିତ ଅଧିକ ବର୍ଷା ଓ ପବନ ହେଲେ ୨ ହଜାର ଲୋକଙ୍କୁ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି।
ଚାଳଛପର, ଆଜିବେଷ୍ଟସ୍ ଓ ଜରିପାଲ ତଳେ ରହୁଥିବା ଲୋକମାନଙ୍କୁ ବାତ୍ୟା ସମ୍ପର୍କରେ ସଚେତନ କରାଇ ଆଶ୍ରୟ ସ୍ଥଳକୁ ନିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି। ଆଶ୍ରୟ ସ୍ଥଳ ଗୁଡିକରେ ଜେନେରେଟର ବ୍ୟବସ୍ଥା କରାଯାଇଛି। ଶୁଦ୍ଧ ପାନୀୟ ଜଳଯାଗାଣ ବ୍ୟବସ୍ଥା ଦିଗରେ ବିହିତ ପଦକ୍ଷେପ ନିଆଯାଇଛି। ଟ୍ୟାଙ୍କର ମାଧ୍ୟମରେ ଶୁଦ୍ଧପାନିୟ ଜଳ ଯୋଗାଣ କରାଯିବା ପାଇଁ ନିଷ୍ପତି ନିଆଯାଇଛି।