ସେବାଶ୍ରମର ଜଣେ ଛାତ୍ରୀ ଗର୍ଭବତୀ ଥିବା ନେଇ ଥାନାରେ ଏତଲା

ବ୍ରାହ୍ମଣୀ ଗାଁ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଛାତ୍ରୀ ନିବାସର ଜଣେ ନାବାଳିକା ଛାତ୍ରୀ ଗର୍ଭବତୀ ଥିବା ଜଣାପଡ଼ିଛି। ଏନେଇ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ଉକ୍ତ ଅଭିଯୋଗକୁ ଭିତ୍ତିକରି ପୁଲିସ ଥାନା କେସ୍ ନଂ-୨୦୫/୨୦୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ କରୋନାର କୋପ ସାମାନ୍ୟ କମିବା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଖୋଲିଛି ସେବାଶ୍ରମ। ସେଠାରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାମାନେ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ରହୁଛନ୍ତି। ଗତ ୩୦ ତାରିଖରେ ଛାତ୍ରୀମାନଙ୍କ ମାସିକ ଋତୁ ଧର୍ମ ଚେକଅପ୍‌ ଚାଲିଥିଲା। ଠିକ୍‌ ସେତିକି ବେଳେ ଜଣେ ଛାତ୍ରୀ ଗର୍ଭବତୀ ଥିବା ଜଣାପଡ଼ିଥିଲା। ଏହା ପରେ ସେବାଶ୍ରମ କର୍ତ୍ତୃପକ୍ଷ ଥାନାରେ ଲିଖିତ ଏକ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ମାମଲା ରୁଜୁ କରିବା ସହିତ ନାବାଳିକାଙ୍କ ଡାକ୍ତରୀମାଇନା କରାଇଛି। ଘଟଣାରେ ସଂପୃକ୍ତ ଥିବା ଜଣେ ନବାଳକକୁ ମଧ୍ୟ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି।