ଝାରସୁଗୁଡ଼ା,ଏନ୍ଏନ୍ଏସ୍: ମଦ୍ୟପାନ କରି ଗାଡ଼ିି ଚଲାଇ ପୁଞ୍ଜିପଥର ନିକଟରେ ଦୁର୍ଘଟଣା ଘଟାଇଥିବା ଗାଡ଼ି ଚାଳକକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଟ୍ରକ ଚାଳକ ଝାଡ଼ଖଣ୍ଡର ଗିରିଡ଼ିହି ଜିଲ୍ଲାର ପ୍ରଦୀପ କୁମାର ପଣ୍ଡିତ(୨୮)ବୋଲି ଜଣାପଡ଼ିଛି। ଏନେଇ ଲଖନପୁର ପୁଲିସ ଏକ ମାମାଲା ରୁଜୁ କରି ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ମଧ୍ୟ ଜବତ କରିଛି।
ମିଳିଥିବା ରିପୋର୍ଟ ମୁତାବକ, ଓଆର-୦୯-ଏଲ ୫୭୬୮ ନମ୍ବର ବିଶିଷ୍ଟ ଏକ ଟ୍ରକ ଲଖନପୁର କ୍ଷେତ୍ର ଖୋଲାମୁହଁ କୋଇଲା ଖଣିରୁ କୋଇଲା ବୋଝେଇ କରି ଛତିଶଗଡ଼ ପଟକୁ ଯାଉଥିବାବେଳେ ୪୯ ନମ୍ବର ଜାତୀୟ ରାଜପଥ ପୁଞ୍ଜିପଥର ଛକ ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ ଧକ୍କା ଦେଇଥିଲା। ଫଳରେ ଟ୍ରକର ସାମ୍ନା ପଟ ଚୁରମାର ହେବା ସହ କେବିନରେ ଚାଳକ ଚାପି ହୋଇ ରହି ଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଚାଳକକୁ ଉଦ୍ଧାର କରିଥିଲା। ପରେ ଗାଡ଼ିର କାଗଜପତ୍ର ଯାଞ୍ଚ କରିବାରୁ ଟ୍ରକର ଟ୍ୟାକ୍ସ, ଫିଟନେସ କିମ୍ବା ବିମା ବୈଧ ନଥିବା ଜଣା ପଡ଼ିଥିଲା। ଅନ୍ୟପଟେ ଡ୍ରାଇଭର ମଧ୍ୟ ମଦ୍ୟପାନ କରି ଗାଡ଼ି ଚଳାଉଥିବାରୁ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।