ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

କନ୍ଧମାଳ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସହର ମଧ୍ୟରେ ଥିବା ଖେଳ ପଡ଼ିଆ ନିକଟରୁ ଆଜି ସକାଳେ ଜଣେ ଯୁବକଙ୍କ ମୃତଦେହ ଏକ ଶାଗୁଆନ ଗଛରୁ ପୁଲିସ ଉଦ୍ଧାର କରିଛି। ମିଳିଥିବା ରିପୋର୍ଟ ମୁତାବକ, ଆଜି ସକାଳୁ ଉକ୍ତ ପଡ଼ିଆକୁ ଖେଳିବା ପାଇଁ ଆସିଥିବା ପିଲାମାନେ ଶବଟି ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ। ତୁରନ୍ତ ଘଟଣାସ୍ଥଳରେ ଫିରିଙ୍ଗିଆ ଥାନାର ଅତିରିକ୍ତ ଥାନାଧିକାରୀ ପ୍ରଦୀପ କୁମାର ରାଉଳଙ୍କ ସହ ତାଙ୍କ ଟିମ୍ ପହଂଚି ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି। ତେବେ ଯୁବକ ଜଣକ ଦୀର୍ଘ ୪ ବର୍ଷ ହେଲା ଫିରିଙ୍ଗିଆ ସହରର ଏକ ହୋଟେଲରେ କାମ କରିବା ସହ ଗାଡ଼ି ଡ୍ରାଇଭର ଭାବେ କାମ କରୁଥିଲେ। ତେବେ ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଏକ ଆତ୍ମହତ୍ୟା ବୋଲି ଜଣା ପଡୁଥିବା ବେଳେ ପୁଲିସ ଘଟଣାକୁ ଗୁରୁତର ସହ ଗ୍ରହଣ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଅନ୍ୟପଟେ ଯୁବକ ଜଣକ ଫିରିଙ୍ଗିଆ ସହରରେ କାଳିଆ ନାଁରେ ପରିଚିତ ଥିବାବେଳେ ତାଙ୍କର ଅସଲ ପରିଚୟ ଜଣା ପଡ଼ିନାହିଁ।