ନୂଆଦିଲ୍ଲୀ: ସମ୍ବିଧାନ ଦିବସ ଅବସରରେ ସଂସଦର ସେଣ୍ଟ୍ରାଲ ହଲରେ ଏକ ସମାରୋହ ଆୟୋଜନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଲୋକସଭା ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସମ୍ବୋଧନ ସମୟରେ ପରିବାରବାଦକୁ ନେଇ ବିପକ୍ଷକୁ ଟାର୍ଗେଟ କରିଥିଲେ। ମୋଦୀ କହିଛନ୍ତି ଯେ, ଭାରତ ଏମିତି ଏକ ସଙ୍କଟ ଦିଗରେ ଅଗ୍ରସର ହେଉଛି ଯାହାକି ଲୋକତନ୍ତ୍ର ପ୍ରତି ଆସ୍ଥା ରଖୁଥିବା ଲୋକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ଆଉ ତାହା ହେଉଛି ପାରିବାରିକ ପାର୍ଟି।
ମୋଦୀ ଆହୁରି କହିଛନ୍ତି ଯେ, ଯୋଗ୍ୟତା ଆଧାରରେ ଗୋଟିଏ ପରିବାରରୁ ଏକରୁ ଅଧିକ ସଦସ୍ୟ ରହିଲେ ତାକୁ ପରିବାରବାଦ କୁହାଯିବନି। କିନ୍ତୁ ଗୋଟିଏ ପାର୍ଟି ପୀଢ଼ୀ ପରେ ପୀଢ଼ୀ ରାଜନୀତିରେ ରହିଛି। ଏହାଦ୍ୱାରା ସମ୍ବିଧାନ ଭାବନକୁ ଆଘାତ ଲାଗିଛି। ସମ୍ବିଧାନର ଗୋଟିଏ ଗୋଟିଏ ଧାରାକୁ ମଧ୍ୟ ଆଘାତ ଲାଗିଛି। ଯେଉଁ ଦଳ ନିଜେ ଲୋକତାନ୍ତ୍ରିକ ଚରିତ୍ର ହରାଇ ଦେଇଛନ୍ତି, ସେମାନେ ଲୋକତନ୍ତ୍ରକୁ କିପରି ସୁରକ୍ଷା ପ୍ରଦାନ କରିବେ।