ହାତୀ ଉପଦ୍ରବ ଯୋଗୁଁ ଜନ ଅସନ୍ତୋଷ, ସମାଧାନ ପାଇଁ ଗ୍ରାଉଣ୍ଡ ଜିରୋରେ ଜିଲ୍ଲା ପ୍ରଶାସନ

ଦେବଗଡ଼,ଏନ୍ଏନ୍ଏସ୍: ତିଳେଇବଣି ବ୍ଲକ୍ ଅନ୍ତର୍ଗତ ବିଭନ୍ନ ପଞ୍ଚାୟତରେ ହାତୀ ଉପଦ୍ରବ ଯୋଗୁଁ ବିଭିନ୍ନ ଅଞ୍ଚଳରେ ଜନଅସନ୍ତୋଷ ଦେଖାଦେଇଛି। ସମସ୍ୟାର ସମାଧାନ ପାଇଁ ଆଜି ପ୍ରଶାସନ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ସମାଧାନର ବାଟ ଖୋଜୁଛି। ସୁଗୁଡା ପଞ୍ଚାୟତ ସଦର ମହକୁମାରେ ଆଜି ଅପରାହ୍ନରେ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ନିର୍ଦ୍ଦେଶରେ ଉପ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପ୍ରଶାସନ, ବନ ବିଭାଗ, ପୁଲିସ ବିଭାଗ ଓ ଗ୍ରାମବାସୀଙ୍କ ମଧ୍ୟରେ ଏକ ସାମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ଅଞ୍ଚଳବାସୀଙ୍କ ପକ୍ଷରୁ ହାତୀ ସମସ୍ୟାରୁ ନିସ୍ତାର ପାଇଁ ଗ୍ରାମବାସୀ ମାନେ ନିଜ ନିଜ ମତବ୍ୟକ୍ତ କରିଥିବା ବେଳେ ବିଭିନ୍ନ ଗ୍ରାମବାସୀଙ୍କ ପକ୍ଷରୁ ନିଜ ନିଜ ଗ୍ରାମର ସୀମାରେ ହାତୀ ଚଲାପଥ ଅବରୋଧ କରୁଥିବା କାରଣରୁ ହାତୀମାନଙ୍କ ଦଳ ଅନ୍ୟ ଅଞ୍ଚଳକୁ ଯାଇ ନପାରି ସମ୍ପୃକ୍ତ ଅଞ୍ଚଳରେ ଧନଜୀବନ ହାନୀ କରୁଥିବା ବନ ବିଭାଗ ପ୍ରକାଶ କରିଥିଲା। ସେହିପରି ହାତୀ ପଲଙ୍କୁ ଘଉଡ଼ାଇବାକୁ ଯାଉଥିବା ବନ କର୍ମଚାରୀ ମାନେ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହେଉଥିବାରୁ ବନକର୍ମଚାରୀଙ୍କ ମନୋବଳ ଦୁର୍ବଳ ହୋଇ ପଡୁଥିବା ବନବିଭାଗ ମତ ପ୍ରକାଶ କରିଛି। ଏହି ଅବସରରେ ଜିଲ୍ଲା ପୁଲିସର ସହାୟତାରେ ବନବିଭାଗ କର୍ମଚାରୀ ଓ ଗ୍ରାମବାସୀମାନେ ମିଳିତ ଭାବେ ହାତୀ ଘଉଡ଼ାଇବାକୁ ନିଷ୍ପତି ନେଇଥିଲେ। â

ସେହିପରି ଗ୍ରାମବାସୀ ମାନେ ଶତ ପ୍ରତିଶତ ଫସଲ କ୍ଷତିପୂରଣ ଦାବି କରିଥିଲେ। ବନବିଭାଗ ପକ୍ଷରୁ ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀ, ଦେବଗଡ଼ ତହସିଲଦାର ପଲ୍ଲବୀ ନାୟକ, ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ସମେତ ଦେବଗଡ଼, କୁଣ୍ଢେଇଗୋଳା ଥାନା ଅଧିକାରୀ ଓ ବନବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।