ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପଛପଟୁ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର

ବଲାଙ୍ଗିର,ଏନ୍ଏନ୍ଏସ୍: ଗତକାଲି ଅପରାହ୍ଣରେ ସ୍ଥାନୀୟ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପଛପଟୁ ପୁଲିସ ଏକ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିଛି। ଶବଟି ଜଣେ ୨୦ ବର୍ଷିଆ ଯୁବକର ହୋଇଥିବା ବେଳେ ହତ୍ୟା ପରେ ପରିଚୟ ଲୁଚାଇବା ପାଇଁ ମୃତ ଦେହକୁ ପୋଡିବାକୁ ପ୍ରୟାସ କରାଯାଇଥିବା ପାରିପାଶ୍ୱିର୍କ ସ୍ଥିତିରୁ ଜଣାପଡୁଛି। ଉକ୍ତ ଯୁବକ ଜଣକ ସୁଦପଡା ନିବାସୀ ବିଶ୍ୱଦେବ ସାହୁ (୨୦) ବୋଲି ପରିବାର ବର୍ଗ ଚିହ୍ନଟ କରିଛନ୍ତି। ଅନ୍ୟପଟେ ପୁଲିସ ଏହି ମାମଲାରେ ଜଣେ ଯୁବକଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି।

ସୂଚନାରୁ ପ୍ରକାଶ ଯେ, ମୃତ ଯୁବକ ବିଶ୍ୱଦେବ ବଲାଙ୍ଗିର ସୁଦପଡା ନିବାସୀ ବିଷ୍ଣୁଦେବ ଓ ମାତା ପ୍ରମିଳାଙ୍କ ସାନ ପୁଅ। ସେ ନିଜ ବଡ ଭାଇ ବାସୁଦେବ ସହିତ ସୁଦପଡା ୟୁପି ସ୍କୁଲ ସମ୍ମୁଖରେ ଏକ ଚଷମା ଓ ଟୋପି ଦୋକାନ କରିଛନ୍ତି। ମଙ୍ଗଳବାର ସକାଳୁ ବିଶ୍ୱଦେବଙ୍କ ଜଣେ ସାଙ୍ଗ ତାଙ୍କ ଦୋକାନକୁ ଆସି କୌଣସି କାମ ପାଇଁ ବିଶ୍ୱଦେବଙ୍କୁ ସାଙ୍ଗରେ ନେଇକି ଯାଇଥିଲେ। ବଡଭାଇ କୁଆଡେ ଯାଉଛ ବୋଲି ପ୍ରଶ୍ନ କରିବାରୁ ଉକ୍ତ ସାଙ୍ଗ ଜଣକ ଅଧ ଘଣ୍ଟାରେ ଫେରିବୁ ବୋଲି କହି ବିଶ୍ୱଦେବଙ୍କୁ ନେଇକି ଯାଇଥିଲେ।

ପ୍ରାୟ ଏଗାରଟା ସମୟରେ ଉକ୍ତ ସାଙ୍ଗ ଜଣକୁ ଏକା ଫେରିବା ଦେଖି, ବଡଭାଇ କୁଆଡେ ଗଲା ବୋଲି ପ୍ରଶ୍ନ କରିଥିଲେ। ଉତ୍ତରରେ ବିଶ୍ୱଦେବ ଆଉ କାହା ସହିତ ଯାଇଛି ବୋଲି ସାଙ୍ଗଟି କହିଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ବିଶ୍ୱଦେବ ଘରକୁ ଫେରିନଥିବା ବେଳେ ପରିବାର ବର୍ଗ ଥାନାକୁ ଅଭିଯୋଗ କରିବା ପାଇଁ ଯାଇଥିଲେ। ସେଠାରେ ମୃତ ଦେହ ଉଦ୍ଧାର ଖବର ପାଇ ପରିବାର ବର୍ଗ ମୃତକ ଜଣକ ବିଶ୍ୱଦେବ ବୋଲି ଅଭିଯୋଗ କରିବା ସହ ପୁଲିସକୁ ସମସ୍ତ ଘଟଣା କହିଥିଲେ। ପୁଲିସ ମୃତ ବିଶ୍ୱଦେବଙ୍କ ଉକ୍ତ ସାଙ୍ଗକୁ ଗିରଫ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି।