ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷା ପରିମାଣ ହ୍ରାସ ପାଇବ। ଦକ୍ଷିଣ ଉପକୂଳର କିଛି ହାତଗଣତି ଜିଲ୍ଲାକୁ ଛାଡ଼ି ଦେଲେ ବାକି ଜିଲ୍ଲାଗୁଡ଼ିକରେ ପାଗ ଶୁଖିଲା ରହିବା ସହ ରାତିର ସର୍ବନିମ୍ନ ତାପମାତ୍ରା ତଳମୁହାଁ ହେବ। ଆସନ୍ତା ୨୫ ତାରିଖରୁ ରାଜ୍ୟରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବ। ଆସନ୍ତା ୪୮ ଘଣ୍ଟା ଯାଏ ରାଜ୍ୟରେ ଘନକୁହୁଡ଼ି ନଜରକୁ ଆସିବ। ଯେଉଁଥିରେ ଦୃଶ୍ୟମାନ କ୍ଷମତା ୧୦୦୦ ମିଟରରୁ ୨୦୦ ମିଟର ଯାଏ ହ୍ରାସ ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି।
କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ଆର୍ ବିଶ୍ୱାସଙ୍କ ମତ ଅନୁଯାୟୀ, ଗତ ୨୪ ଘଣ୍ଟାରେ ରାଜ୍ୟରେ ପାଗ କୋହଲା ଥିବାବେଳେ କିଛି ସ୍ଥାନରେ ବର୍ଷା ରେକର୍ଡ ହୋଇଛି। ମୁଖ୍ୟତଃ ଦକ୍ଷିଣ ଓଡ଼ିଶାରେ ବର୍ଷା ରେକର୍ଡ ହୋଇଥିବାବେଳେ ଉତ୍ତର ଓଡ଼ିଶାର କିଛି ଜିଲ୍ଲାର ସ୍ଥାନେ ସ୍ଥାନେ ବର୍ଷା ହୋଇଛି। ଗଞ୍ଜାମ ଆସ୍କାରେ ସର୍ବାଧିକ ୭୫ ମିମି ବର୍ଷା ହୋଇଥିବାବେଳେ ଟିଟଲାଗଡ଼ରେ ୫୨ ମିମି, ଫୁଲବାଣୀରେ ୪୭.୨ ମିମି ବର୍ଷା ରେକର୍ଡ କରାଯାଇଛି। ଦାରିଙ୍ଗବାଡ଼ିରେ ମଙ୍ଗଳବାର ସର୍ବନିମ୍ନ ତାପମାତ୍ରା ପାରଦ ୧୪.୫ ଡିଗ୍ରୀ ରେକର୍ଡ ହୋଇଛି। ଏହା ଆଗକୁ ଆହୁରି ତଳକୁ ଖସିବା ସମ୍ଭାବନା ରହିଛି। ବର୍ତ୍ତମାନ ରାଜ୍ୟରେ ତାପମାତ୍ରା ସ୍ୱାଭାବିକଠୁ ୪ରୁ ୫ ଡିଗ୍ରୀ ଅଧିକ ରହିଛି। ଆସନ୍ତା ୫ ଦିନ ରାଜ୍ୟର ପାଣିପାଗରେ ପରିବର୍ତ୍ତନ ହେବାର ଅଛି।
ଆସନ୍ତା୨୭ ତାରିଖ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ। ଆସନ୍ତାକାଲିଠାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଘନକୁହୁଡ଼ି ନଜରକୁ ଆସିବ। ମୁଖ୍ୟତଃ ପାହାଡ଼ି ତଥା ସମତଳ ଜିଲ୍ଲାଗୁଡ଼ିକରେ କୁହୁଡ଼ି ସମ୍ଭାବନା ଅଧିକ ରହିଛି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ପାରଦ ୩ରୁ ୫ ଡିଗ୍ରୀ ଯାଏ ଖସିବ। ଫଳରେ ସ୍ଥିତି ସ୍ୱାଭାବିକ ହେବା ସହ ଶୀତ ଫେରିବା ସମ୍ଭାବନା ରହିଥିବା ନିର୍ଦ୍ଦେଶକ ଶ୍ରୀ ବିଶ୍ୱାସ କହିଛନ୍ତି। ରାଜଧାନୀ ଭୁବନେଶ୍ୱରରେ ଆସନ୍ତା ୨୯ ତାରିଖ ଯାଏ ପାଗ ମୁଖ୍ୟତଃ ଆଂଶିକ ମେଘୁଆ ରହିବା ସମ୍ଭାବନା ରହିଛି। ଆସନ୍ତା ୨ ଦିନ ମଧ୍ୟରେ ରାତି ପାରଦ ନିମ୍ନଗାମୀ ହେବା ନେଇ ମଧ୍ୟ ପୂର୍ବାନୁମାନ କରାଯାଉଥିବା ଶ୍ରୀ ବିଶ୍ୱାସ କହିଛନ୍ତି।
ସେପଟେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଏହା ନଭେମ୍ବର ମାସର ଚତୁର୍ଥ ଲଘୁଚାପ ହୋଇଥିବାବେଳେ ନଭେମ୍ବର ଶେଷ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବା ସମ୍ଭାବନା ରହିଛି। ଅନ୍ତର୍ଜାତୀୟ ପାଣିପାଗ ବିଶେଷଜ୍ଞ ଜଚାସନ୍ ନିକୋଲସ୍ ଏନେଇ ନିଜ ଟୁଇଟ୍ କରିଛନ୍ତି। ନିକଟରେ ବଙ୍ଗୋପସାଗରରେ ସୃଷ୍ଟି ହୋବଇଥିବା ଲଘୁଚାପ କ୍ଷେତ୍ରଟି କ୍ରମଶଃ ସକ୍ରିୟ ହୋଇ ଉତ୍ତର ତମିଲାନାଡ଼ୁ ସ୍ଥଳଭାଗ ଆଡ଼କୁ ମୁହାଁଇବ। ଫଳରେ ଆସନ୍ତା ୨୫ ତାରିଖରୁ ସେଠାରେ ପୁଣି ବର୍ଷା ଲାଗି ରହିବ। ହେଲେ ଏହାର ସିଧାସଳଖ କୌଣସି ପ୍ରଭାବ ଓଡ଼ିଶା ଉପରେ ନାହିଁ।