ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ ମଞ୍ଜୁରି

ଭୁବନେଶ୍ୱର,ଏନ୍ଏନ୍ଏସ୍: ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ରାଜ୍ୟ ସରକାର ଅଧ୍ୟାଦେଶ ଆଣିଛନ୍ତି। ଏହି ଅଧ୍ୟାଦେଶ ଆଜି କ୍ୟାବିନେଟରେ ଅନୁମୋଦନ ଲାଭ କରିଛି। ମନ୍ଦିରର ସୁପରିଚାଳନାକୁ ଏହି ଅଧ୍ୟାଦେଶରେ ଅଧିକ ଗୁରୁତ୍ୱ ଦିଆଯାଇଛି। ମନ୍ଦିର ସମ୍ପତ୍ତି ଏବଂ ପରିସର ଓ ବାହାରେ ଥିବା ମନ୍ଦିରର ପରିଚାଳନା ଦାୟିତ୍ୱ ଏକ କମିଟିକୁ ନ୍ୟସ୍ତ କରାଯାଇଛି। ଫଳରେ ମନ୍ଦିର କାର୍ଯ୍ୟ ଉତ୍ତମ ଓ ସଠିକ୍ ଭାବେ ପରିଚାଳନା ହୋଇପାରିବ। ଦ୍ୱିତୀୟରେ ତୀର୍ଥଯାତ୍ରୀ ଓ ଉପାସକମାନେ ଉନ୍ନତ ସୁବିଧା ପାଇପାରିବେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ, ଅଧ୍ୟାଦେଶ ମନ୍ଦିରର ସୁପରିଚାଳନା ପାଇଁ ବ୍ୟବସ୍ଥା କରାଯାଇଛି। ତାହା ମନ୍ଦିରର ସମ୍ପତ୍ତି ସୁୁରକ୍ଷିତ ରହିିବା ପାଇଁ କମିଟିକୁ ସଶକ୍ତ କରିବ। ଏହି ଅଧ୍ୟାଦେଶରେ ମନ୍ଦିରର ସୁପରିଚାଳନା ନିମନ୍ତେ ବିସ୍ତୃତ ଭାବରେ ବ୍ୟବସ୍ଥା କରାଯାଇଅଛି। ପରିଚାଳନା କମିଟି ଗଠନ, କମିଟିର ସଭ୍ୟ ସଂଖ୍ୟା, କମିଟିର ଦାୟିତ୍ୱ ଓ କ୍ଷମତା, ପରିଚାଳକଙ୍କର କ୍ଷମତା ଓ ଦାୟିତ୍ୱ ମନ୍ଦିରର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ସୁରକ୍ଷା ଏବଂ ପରିଚାଳନା, ସେବକଙ୍କର ଭୂମିକା ଓ ଦାୟିତ୍ୱ ମନ୍ଦିର ପାଣ୍ଠିର ଗଠନ ଓ ପରିଚାଳନା ଆଦି ସମ୍ପନ୍ନ ହେବ।

ଅଧ୍ୟାଦେଶ ଆଣିବା ପୂର୍ବରୁ ଭାରତର ରାଷ୍ଟ୍ରପତିଙ୍କ ନିକଟକୁ ନିର୍ଦ୍ଦେଶନାମା ପାଇଁ ପଠାଯାଇଥିଲା। ଭାରତ ସରକାରଙ୍କ ସଂସ୍କୃତି ବିଭାଗ ସଚିବଙ୍କ ଜରିଆରେ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ ହୋଇଥିଲା। ଉକ୍ତ କମିଟି ରିପୋର୍ଟ ଆଧାରରେ ଅଧ୍ୟାଦେଶର ଧାରା ସନ୍ନିବିଷ୍ଟ ହୋଇଛି। ୧୨ଟି କେନ୍ଦ୍ରୀୟ ସଂରକ୍ଷିତ ସ୍ମାରକୀ ୧୯୫୮ ଧାରା ଅନୁଯାୟୀ କାର୍ଯ୍ୟ ସମ୍ପାଦନ କରାଯିବ। ଏହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିଲେ।

ଏହି ପ୍ରସ୍ତାବିତ ଅଧ୍ୟାଦେଶରେ ଭାରତ ସରକାରଙ୍କ ସଂସ୍କୃତି ବିଭାଗର ପ୍ରସ୍ତାବକୁ ଦୃଷ୍ଟିରେ ରଖୁ ଧାରା ୪ (୪)ରେ ଥିବା ବ୍ୟବସ୍ଥାକୁ ଯୋଗକରିବା ପାଇଁ ପ୍ରସ୍ତାବ ଦିଆଯାଇଛି ବୋଲି ମୁଖ୍ୟଶାସନ ସଚିବ ସ୍ପଷ୍ଟ କରିଛନ୍ତି।