କେନ୍ଦୁକଟା ଗ୍ରାମରେ ଘରୁ ଟାଣିନେଇ କଚାଡି ମାରିଲା ଦନ୍ତା, ସୁଗୁଡା ଗ୍ରାମରେ ବନକର୍ମଚାରୀଙ୍କ ଉପରକୁ ଆକ୍ରମଣ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ବନଖଣ୍ଡ ଅଞ୍ଚଳରେ ଗତ କିଛିଦିନ ଧରି ହାତୀ ଉପଦ୍ରବ ଯୋଗୁଁ ବିଭିନ୍ନ ସ୍ଥାନରେ ବ୍ୟାପକ ଫସଲ ହାନି ହେବାସହ ହାତୀ ମଣିଷ ଲଢେଇରେ ମଣିଷ ଜୀବନ ମଧ୍ୟ ହାନି ଘଟି ଚାଲିଛି। ଏହି କ୍ରମରେ ଆଜି ପ୍ରତ୍ୟୁଷରେ ଦେବଗଡ଼ ଥାନା ଅନ୍ତର୍ଗତ କାଲକାଠ କେନ୍ଦୁକଟା ଗ୍ରାମ କିସାନ ସାହିର ଚେରୁ କିସାନଙ୍କୁ ଏକ ଦନ୍ତା ହାତୀ ଘରୁ ଟାଣିନେଇ ଘର ସମ୍ମୁଖ ପଡିଆରେ କଚାଡି ମାରି ଦେଇଥିବା ଜଣାପଡିଛି। ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସୂଚନା ପାଇ ଦେବଗଡ଼ ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶରେ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଥିସହ ମୃତକଙ୍କ ପରିବାର ଲୋକଙ୍କୁ ଯଥାଶୀଘ୍ର କ୍ଷତି ପୂରଣ ପ୍ରଦାନ କରାଯିବ ବୋଲି ବନବିଭାଗ ସୂଚନା ଦେଇଛି।

ଅନ୍ୟ ପକ୍ଷରେ ଗତକାଲି ହାତୀ ଘଉଡ଼ାଇବାକୁ ବନ ବିଭାଗ କର୍ମଚାରୀ ମନେ ସୁଗୁଡା-ନିକ୍ତିମାଲ ରାସ୍ତା ଦେଇ ଯାଉଥିବା ବେଳେ ହାତୀ ଠାରୁ ଗ୍ରାମବାସୀଙ୍କୁ ସୁରକ୍ଷା ଦେଇ ପାରୁନଥିବା ଅଭିଯୋଗ କରି ସୁଗୁଡା ଗ୍ରାମର ଟିକେଶ୍ୱର ସାହୁ ନାମକ ଜଣେ ବ୍ୟକ୍ତି ଫରେଷ୍ଟର ପ୍ରସନ୍ନ କୁମାର ସାହୁଙ୍କୁ ମାଡ଼ ମାରିବା ସହ ବନ ବିଭାଗର ଗାଡିକୁ ଭଙ୍ଗାରୁଜା କରି ଗାଡି ଚକାରୁ ପବନ ବାହାର କରିଦେଇଥିଲେ। ଏହି ଘଟଣାକୁ ନେଇ ଗତକାଲି ରାତିରେ ଦେବଗଡ଼ ବନ ବିଭାଗ ପକ୍ଷରୁ ରେଞ୍ଜ ଅଫିସର ଦେବବ୍ରତ ନନ୍ଦ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ଅଭିଯୁକ୍ତ ବ୍ୟକ୍ତିକୁ ତୁରନ୍ତ ଗିରଫ ନକଲେ ସୁରକ୍ଷା ଦୃଷ୍ଟିରୁ ଆଜି ଠାରୁ ବନ କର୍ମଚାରୀ ମାନେ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଧାରଣା ଦେବେ ବୋଲି ସୂଚନା ମିଳିଛି।