ଭୁବନେଶ୍ୱର,ପୁରୀ,ଏନ୍ଏନ୍ଏସ୍: ବହୁ ପ୍ରତିକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ଆଜି ହେବାକୁ ଯାଉଛି। ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଯାଇ ଏହି ଶୁଭକାର୍ଯ୍ୟର ଆରମ୍ଭ କରିବେ। ଏହି ବିଶେଷ ଉତ୍ସବରେ ଭାଗନେବା ସହ ଶ୍ରୀମନ୍ଦିର ସମ୍ମୁଖରେ ଜାରି ରହିଥିବା ତ୍ରିଦିନାତ୍ମକ ଯଜ୍ଞର ତୃତୀୟ ଦିନରେ ପୂର୍ଣ୍ଣାହୂତି ଦେବେ ମୁଖ୍ୟମନ୍ତ୍ରୀ। ଏଥିପାଇଁ ସମୟସାରଣୀ ଚୂଡ଼ାନ୍ତ ହୋଇଥିବା ବେଳେ ଶ୍ରୀମନ୍ଦିର ପରିସରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ମଙ୍ଗଳବାର ପୁରୀରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଓ ଏସ୍ପିଙ୍କ ସହ ଆଲୋଚନା କରିବା ସହ ସେ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି। ଶିଳାନ୍ୟାସ ତଥା ଭୂମିପୂଜନ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀ, ଗଜପତି ମହାରାଜା ଏବଂ ପୁରୀ ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦମାନେ ଯୋଗଦେବେ।
ମୁଖ୍ୟମନ୍ତ୍ରୀ ଆଜି ସକାଳ ୯ଟା ୩୦ରେ ପୁରୀରେ ପହଞ୍ଚିବାକୁ ଥିବା ବେଳେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସର ନୀତି ଅନୁଯାୟୀ, ପୂର୍ବାହ୍ନ ୯ଟା ୪୫ରୁ ୧୦ଟା ମଧ୍ୟରେ ଶିଳାବିଜେ, ପୂର୍ବାହ୍ନ ୧୦ଟା ୧୫ରୁ ୧୦ଟା ୩୦ମିନିଟ୍ ମଧ୍ୟରେ ଶିଳା ସ୍ଥାପନ ଏବଂ ୧୦.୪୫ରୁ ୧୧ଟା ଭିତରେ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଅବସରରେ ପରିକ୍ରମା ପ୍ରକଳ୍ପ ମଡେଲ୍ର ଅନାବରଣ କାର୍ଯ୍ୟ ସମ୍ପନ୍ନ କରାଯିବ ବୋଲି ଶ୍ରୀ ମଙ୍ଗରାଜ ସୂଚନା ଦେଇଛନ୍ତି ।
ଜଗନ୍ନାଥ ଐତିହ୍ୟ କରିଡର ପ୍ରକଳ୍ପଟି ଅବଢ଼ା ଯୋଜନା ଅନ୍ତର୍ଗତ। ଯାହାକି ପୁରୀକୁ ଏକ ବିଶ୍ୱମାନର ଐତିହ୍ୟ ନଗରୀରେ ପରିଣତ କରିବ। ଶ୍ରୀମନ୍ଦିର ଚାରିପାଖରେ ଉଚ୍ଛେଦ କାର୍ଯ୍ୟ ସାରିବା ସହ ରାଜ୍ୟ ସରକାରଙ୍କର ଅଦମ୍ୟ ପ୍ରୟାସ ଏବଂ ପୁରୀବାସୀଙ୍କ ସଦିଚ୍ଛାରେ ଶେଷରେ ପ୍ରକଳ୍ପଟି ତିଆରି ହେବାକୁ ଯାଉଛି। ଏହି ଉତ୍ସବକୁ ଆଧ୍ୟାତ୍ମିକ ଭକ୍ତିଭାବରେ ବିମର୍ଜନ କରିବା ପାଇଁ ତିନି ଦିନିଆ ଯଜ୍ଞ କାର୍ଯ୍ୟକ୍ରମ ହେଉଛି। ଏହି ଉପଲକ୍ଷେ ଶ୍ରୀନହରରେ ଏକ ସ୍ୱତନ୍ତ୍ର ପୂଜା କରାଯାଇଥିବାବେଳେ ଗଜପତି ବ୍ରାହ୍ମଣମାନଙ୍କୁ ବରଣ କରି ଅଧିବାସ ନୀତି ସମାପନ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଯଜ୍ଞସ୍ଥଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପୁରୀରେ ୨୫ ପ୍ଲାଟୁନ୍ ପୁଲିସ ଫୋର୍ସ ସହ ୩ ଅତିରିକ୍ତ ଏସ୍ପି, ୧୦ ଡିଏସ୍ପି, ୪୦ ଇନସ୍ପେକ୍ଟର ଓ ୧୦୦ରୁ ଊର୍ଦ୍ଧ୍ୱ ଅଫିସର ମୁତୟତ ରହିବେ ବୋଲି ପୁରୀ ଏସ୍ପି କନୱର ବିଶାଲ ସିଂ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଜମି ପ୍ରଦାନ କରିଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ସମ୍ମାନିତ କରାଯିବ ବୋଲି ଜଣାପଡ଼ିଛି।