୮୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସୁପରଭାଇଜର

ନୂଆପଡ଼ା,ସିନାପାଲି,ଏନ୍ଏନ୍ଏସ୍: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା ସିନାପାଲି ଅଧିନସ୍ଥ ଚଟିଆଗୁଡ଼ା ସେକ୍ଟରର ସୁପରଭାଇଜର ହର୍ସମଣି ଦେଇ ୮୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଗିରଫ ପରେ ସୁପରଭାଇଜରଙ୍କ ନିଜ ଘର ବୋଡେନ ବ୍ଲକ ଅନ୍ତର୍ଗତ ଅଲାଭଟା ଏବଂ ଖଡ଼ିଆଳ ଭଡ଼ା ଘରେ ମଧ୍ୟ ଭିଜିଲାନ୍ସ ଚଢ଼ଉ କରିଥିବା ସୂଚନା ମିଳିଛି। ଏହି ଚଢ଼ଉରେ ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲା ଭିଜିଲାନ୍ସ ଭାରପ୍ରାପ୍ତ ଡିଏସପି କଲାବତି ବାଗ, ମାଲକାନଗିରି ଡିଏସପି ସୁଶାନ୍ତ କୁମାର ବିଶ୍ୱାଳ, କୋରାପୁଟ ଡିଏସପି ଅନନ୍ତ ପ୍ରସାଦ ମଲ୍ଲିକ, ନୂଆପଡ଼ା ଭିଜିଲାନ୍ସ ଇନ୍ସପେକ୍ଟର ଦିନବନ୍ଧୁ ବେହେରା ଓ ପ୍ରମିଳା ସୁନା ସମେତ ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ।

ମିଳିଥିବା ରିପୋର୍ଟ ମୁତାବକ, ସିନାପାଲି ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟର ଚଟିଆଗୁଡ଼ା ସେକ୍ଟରର ସାଗୁନଭାଡ଼ି ଗ୍ରାମରେ ନୂତନ ଭାବେ ଅଙ୍ଗନବାଡି ନିଯୁକ୍ତି ପାଇଁ ପଦବିର ବିଜ୍ଞାପନ ବାହାରିଥିଲା। ଫଳରେ ସେହି ଗ୍ରାମର ଅନେକ ପାର୍ଥୀ ପଦବି ପାଇଁ ଆବଶ୍ୟକ କାଗଜପତ୍ର ଜମା କରିଥିଲେ। ହେଲେ ସୁପରଭାଇଜର ଦିଦି ସେହି ଗ୍ରାମର ଜଣେ ପ୍ରାର୍ଥୀଙ୍କଠାରୁ ନିଯୁକ୍ତି କରାଇ ଦେବା ପାଇଁ ୧ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଆଉ ସେହି ପ୍ରାର୍ଥୀର ଭାଇ ବିକାଶ ରଞ୍ଜନ ବାଗ(୨୮) ୮୦ ହଜାର ଟଙ୍କା ଦେବା ପାଇଁ ଦିଦିଙ୍କ ସହ କଥାବାର୍ତ୍ତା ହୋଇଥିଲେ। ଆଉ ଆଜି ସୁପରଭାଇଜର ହର୍ସମଣି ଦେଇ ଖଡ଼ିଆଳରୁ ବସ ଯୋଗେ ସିନାପାଲି ଆଇସିଡିଏସ୍ କାର୍ଯ୍ୟାଳୟକୁ ଆସୁଥିବାବେଳେ ସିନାପାଲି ସଦର ବସଷ୍ଟାଣ୍ଡଠାରେ ଅଙ୍ଗନବାଡି ପ୍ରାର୍ôଥୀର ଭାଇ ବିକାଶ ରଂଜନ ବାଗଙ୍କଠାରୁ ୮୦ ହଜାର ଟଙ୍କା ନେଇଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ଉ କରି ଲାଞ୍ଚ ଟଙ୍କା ଜବତ କରିବା ସହ ଦିଦିଙ୍କୁ ଗିରଫ କରିଛନ୍ତି।