ସ୍ୱଚ୍ଛ ସର୍ବେକ୍ଷଣ ୨୦୨୧: ନିରାଶ କଲା ବିଏମସି, ଦେଶର ଶ୍ରେଷ୍ଠ ‘ମଧ୍ୟମ ଧରଣ’ ସହର ଭାବେ ବ୍ରହ୍ମପୁର ପୁରସ୍କୃତ

ଭୁବନେଶ୍ୱର ଦେଶର ୧୪୪ ତମ ଓ ରାଜ୍ୟରେ ୫ମ ସ୍ୱଚ୍ଛ ସହର

ଭୁବନେଶ୍ୱର,ଏନ୍ଏନ୍ଏସ୍: କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ହୋଇଥିବା ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ର ଫଳାଫଳ ଘୋଷଣା ହୋଇଛି। ଏଥିରେ ବିଭିନ୍ନ ରାଜ୍ୟ ଓ ସହର ମଧ୍ୟରେ କଡ଼ା ପ୍ରତିଯୋଗିତା ହୋଇଥିଲେ ହେଁ ଶ୍ରେଷ୍ଠ ସହର ଭାବେ ମଧ୍ୟପ୍ରଦେଶର ଇନ୍ଦୋର ପୂର୍ବବର୍ଷ ଭଳି ଏଥର ସବୁଠୁ ସଫା ସହର ହୋଇଛି। ଏଥିରେ ରାଜଧାନୀ ଭୁବନେଶ୍ୱରକୁ ସର୍ବଭାରତୀୟ ସ୍ତରରେ ୧୪୪ ରାଙ୍କ ମିଳିଥିବାବେଳେ ରାଜ୍ୟରେ ୫ମ ସ୍ଥାନରେ ଅଛି। ରାଜ୍ୟର ସବୁଠୁ ସ୍ୱଚ୍ଛ ସହର ଭାବେ ବ୍ରହ୍ମପୁର ମହାନଗର ନିଗମକୁ ଦେଶର ଶ୍ରେଷ୍ଠ ‘ମଧ୍ୟମ ଧରଣ’ ସହର ଭାବେ ପୁରସ୍କୃତ କରାଯାଇଛି। ବିଗତ ବର୍ଷଗୁଡ଼ିକ ପରି ଚଳିତବର୍ଷ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ସ୍ୱଚ୍ଛତା କ୍ଷେତ୍ରରେ ନୈରାଶଜନକ ପ୍ରଦର୍ଶନ କରିଛି। ସର୍ବେକ୍ଷଣରେ ୨୦୧୭ରେ ଭୁବନେଶ୍ୱରକୁ ୯୪ତମ ରାଙ୍କ୍ ମିଳିଥିବାବେଳେ ୨୦୧୮ରେ ୨୪୩ ତମ, ୨୦୧୯ରେ ୨୮୮ ତମ ଓ ୨୦୨୦ରେ ୨୩୩ ତମ ରାଙ୍କ ମିଳିଥିଲା। ଚଳିତବର୍ଷ ରାଙ୍କ ସାମାନ୍ୟ ବୃଦ୍ଧି ପାଇଥିଲେ ହେଁ ସ୍ୱଚ୍ଛତା କ୍ଷେତ୍ରରେ ରାଜଧାନୀ ଭୁବନେଶ୍ୱର ଅନ୍ୟ ସହର ତୂଳନାରେ ପଛରେ ପଡ଼ିଛି।

ଭୁବନେଶ୍ୱରକୁ ସ୍ୱଚ୍ଛ ରଖିବା ପାଇଁ ବର୍ଷକୁ ପ୍ରାୟ ୭୦ କୋଟି ଖର୍ଚ୍ଚ ହେଉଛି, ସବୁଠୁ ଅଧିକ ସଫେଇ କର୍ମଚାରୀ ଏଠାରେ କାମ କରୁଛନ୍ତି, ଯାନ୍ତ୍ରିକ ସଫେଇ ବି ହେଉଛି। ରାଜ୍ୟର ଅନ୍ୟ କୌଣସି ସହରର ସଫେଇ ବ୍ୟବସ୍ଥା ଦେଖିଲେ, ସେମାନେ ଭୁବନେଶ୍ୱରର ପାଖ ଛୁଇଁବେନି। ଅଥଚ ଭୁବନେଶ୍ୱର ସେମାନଙ୍କ ଠାରୁ ପଛରେ। ସ୍ୱଚ୍ଛ ଭୁବନେଶ୍ୱର ନାରା ନେଇ ବିଏମସି ଗତ ୧୦ ବର୍ଷରୁ ଅଧିକ ଦିନ ହେଲା କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚାଲିଛି, ହେଲେ ରାଙ୍କ ତାଲିକାରେ ବହୁ ପଛରେ ପଡ଼ୁଥିବା ନଜରକୁ ଆସୁଛି।

ଚଳିତବର୍ଷ ବ୍ରହ୍ମପୁର ୩୭୫୧.୦୯ ମାର୍କ ସହ ରାଜ୍ୟର ସବୁଠୁ ସ୍ୱଚ୍ଛ ସହର ପାଲଟିଛି, ଯାହା ସର୍ବଭାରତୀୟ ସ୍ତରରେ ୫୬ ରାଙ୍କରେ ରହିଛି। ସେହିପରି ରାଉରକେଲା ୩୭୨୩ ମାର୍କ ସହ ୫୭ ତମ ରାଙ୍କ ହାସଲ କରିଛି। ବାଲେଶ୍ୱର ୩୧୮୧.୬୫ ମାର୍କ ସହ ୧୦୯ ରାଙ୍କରେ ରହିଛି। ୩୦୧୦.୫୩ ମାର୍କ ସହ ପୁରୀ ୧୨୫ ତମ ରାଙ୍କ ହାସିଲ କରିଥିବାବେଳେ ୨୯୦୮.୧୪ ମାର୍କ ସହ ଭୁବନେଶ୍ୱର ୧୪୪ ତମ ରାଙ୍କ ହାସଲ କରିଛି। ଭୁବନେଶ୍ୱର ତଳକୁ କଟକ (୨୭୯୪.୪୬ ମାର୍କ, ୧୬୨ ରାଙ୍କ), ସମ୍ବଲପୁର (୨୭୪୦.୭୭ ମାର୍କ, ୧୬୭ ରାଙ୍କ), ବାରିପଦା (୨୪୪୪.୬୯ ମାର୍କ, ୨୦୨ ରାଙ୍କ) ଓ ଭଦ୍ରକ (୨୦୩୭.୮୬ ମାର୍କ, ୧୬୨ ରାଙ୍କ) ପୌରାଞ୍ଚଳ ରହିଛି।

ରାଜ୍ୟସ୍ତରରେ ଭୁବନେଶ୍ୱର ୫ମ ସ୍ଥାନ ହାସ କରିଥିବାବେଳେ ଏମିତି କ’ଣ ହେଲା ଯେ ଭୁବନେଶ୍ୱର ବ୍ରହ୍ମପୁର, ରାଉରକେଲା, ବାଲେଶ୍ୱର ଓ ପୁରୀଠାରୁ ପଛରେ ପଡ଼ିଗଲା, ସେନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ ବର୍ତ୍ତମାନ ବିଏମସିରେ ପରିମଳ ବ୍ୟବସ୍ଥା ତଦାରଖ କରିବା ପାଇଁ ଜଣେ ବରିଷ୍ଠ ଓଏଏସ୍ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ତା’ସହ ନିକଟରେ ବିଭାଗୀୟ କାର୍ଯ୍ୟକୁ ସୁଗମ କରିବା ପାଇଁ ସ୍ୱତନ୍ତ୍ର ଯନ୍ତ୍ରୀଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି। ସହର ପରିମଳ କଥା ପରଖିବା ପାଇଁ ନଗର ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅଧୀନରେ ଏକ ବଡ଼ ଟିମ୍ ପରିଚାଳିତ ହେଉଛି। ୱାର୍ଡସ୍ତରରେ ସାନିଟାରି ଇନସ୍ପେକ୍ଟରଙ୍କଠାରୁ ଆରମ୍ଭ କରି ସ୍ୱଚ୍ଛ ସାଥୀ ପର୍ପ୍ୟନ୍ତ ସମସ୍ତେ କାମ କରୁଛନ୍ତି। ସବୁର ତଦାରଖ କରୁଛନ୍ତି ବିଏମସି କମିସନର। ତଥାପି ସ୍ୱଚ୍ଛତା କ୍ଷେତ୍ରରେ ଭୁବନେଶ୍ୱର ରାଜ୍ୟରେ ପଞ୍ଚମ ସ୍ଥାନ ହାସଲ କରିଛି।