ରନ୍ଧନ ଗ୍ୟାସ୍‌ରେ ୪୦୦ ଟଙ୍କା ସବ୍‌ସିଡି ଦେଉ କେନ୍ଦ୍ର: ରଣେନ୍ଦ୍ର

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ପେଟ୍ରୋଲ, ଡିଜେଲ ଦର କେନ୍ଦ୍ର ସରକାର ସାମାନ୍ୟ କମ୍ କରିଥିଲେହେଁ ରନ୍ଧନ ଗ୍ୟାସ୍ ଦର ଏବେ ମଧ୍ୟ ଆକାଶଛୁଆଁ ରହିଛି। ଗୋଟିଏ ଏଲ୍‌ପିଜି ସିଲିଣ୍ଡର ଦର ପାଖାପାଖି ହଜାରେ ଟଙ୍କା ଛୁଇଁଥିବା ବେଳେ ଗ୍ରାହକଙ୍କ ପାଖକୁ ସବ୍‌ସିଡି ଟଙ୍କା ଆସିବା ପ୍ରାୟ ବନ୍ଦ ହୋଇଗଲାଣି। ଏହି ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିବା ସହ ୪୦୦ ଟଙ୍କା ସବ୍‌ସିଡି ଆକାରରେ ପ୍ରଦାନ କରିବାକୁ ଦାବି କରିଛନ୍ତି ବରିଷ୍ଠ ବିଜେଡି ନେତା ତଥା ରାଜ୍ୟ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।

ଶ୍ରୀ ସ୍ୱାଇଁ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଉଜ୍ଜଳା ଏବେ ସମ୍ପୁର୍ଣ୍ଣ ବିଫଳ। ମା’ମାନେ ପୁଣିଥରେ ଚୁଲି ମୁଣ୍ଡକୁ ଫେରିଗଲେଣି । ମାଗଣାରେ ଗ୍ୟାସ୍ ଦେଉଥିବା କହି କେନ୍ଦ୍ର ସରକାର ବାହାବା ନେଲେ। ମାତ୍ର, ଏବେ ଟାଙ୍କିରେ ଗ୍ୟାସ୍ ଭର୍ତ୍ତି କରିବାକୁ ମା’ମାନଙ୍କ ଅଣ୍ଟାରେ ଟଙ୍କା ନାହିଁ। ରନ୍ଧନ ଗ୍ୟାସ୍ ଦର ୪୫୦ରୁ ବଢ଼ି ଏବେ ପାଖାପାଖି ୧୦୦୦ ଟଙ୍କାରେ ପହଞ୍ଚିଲାଣି। କିନ୍ତୁ ସବ୍‌ସିଡି ୨୫୦ ଟଙ୍କାରୁ କମି କମି ଆସି ଏବେ ପୁରା ବନ୍ଦ ହୋଇଗଲାଣି। ସାଧାରଣ ଲୋକଙ୍କ ହାଣ୍ଡିଶାଳରେ ଏହା ଚଡ଼କ ପକାଇଛି।

ଏଭଳି ଅହେତୁକ ଗ୍ୟାସ୍ ଦରବୃଦ୍ଧି ପ୍ରତିବାଦରେ ଆସନ୍ତା ୨୨ ତାରିଖରୁ ତିନି ଦିନ ଧରି ରାଜ୍ୟର ବିଭିନ୍ନ ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବ ବିଜେଡି। ଏହାଛଡ଼ା ଆରଡିସିଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକପତ୍ର ଦେବ ବୋଲି ସମବାୟ ମନ୍ତ୍ରୀ କହିଛନ୍ତି।