ଓଡ଼ିଶା ବିଜ୍ଞାନ ଓ ପରିବେଶ କଂଗ୍ରେସ ଉଦ୍‌ଘାଟିତ

କଟକ,ଏନ୍‌ଏନ୍‌ଏସ୍‌: ଓଡ଼ିଶା ପରିବେଶ ସମିତି ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବିଶ୍ୱବିଦ୍ୟାଳୟର ମୁଖ୍ୟ ପ୍ରେକ୍ଷାଳୟରେ ଦୁଇ ଦିନ ଧରି ଅନୁଷ୍ଠିତ ହେଉଥିବା ୨୨ତମ ଓଡ଼ିଶା ବିଜ୍ଞାନ ଓ ପରିବେଶ କଂଗ୍ରେସ ଉଦ୍‌ଘାଟିତ ହୋଇଯାଇଛି। ଏହି କଂଗ୍ରେସର ମୁଖ୍ୟ ବିଷୟବସ୍ତୁ ରହିଛି ‘ଆହ୍ୱାନସବୁର ପ୍ରତିହତ ନିମନ୍ତେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଭୂମିକା’। ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷା ପ୍ରଫେସର ଅସୀମା ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥିଭାବେ ଭୁବନେଶ୍ୱରସ୍ଥ ଜୀବବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ପଦ୍ମଶ୍ରୀ ଡ଼. ଅଜୟ ପରିଡ଼ା ଯୋଗଦେଇ କହିଥିଲେ ଯେ ବିଜ୍ଞାନ ଓ ପ୍ରଯୁକ୍ତିର ପ୍ରୟୋଗ ଦାରିଦ୍ର୍ୟ, କୁପୋଷଣ, ମାତୃ ଓ ଶିଶୁ ମୃତ୍ୟୁହାର ଏବଂ କୁସଂସ୍କାର ଦୂରୀକରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ହେଉଛି ଆଜିର ଆବଶ୍ୟକତା। ସମାଜରୁ ବିବିଧ ସାମାଜିକ, ଅର୍ଥନୈତିକ ଏବଂ ଲିଙ୍ଗଗତ ବୈଷମ୍ୟ ଦୂର ହେବା ସହ ପରିବେଶୀୟ ଏବଂ ପ୍ରଯୁକ୍ତିବିଦ୍ୟା ସମ୍ପର୍କିତ ସମସ୍ୟାର ସମାଧାନ ନିମନ୍ତେ ବୈଜ୍ଞାନିକ, ପ୍ରଶାସନିକ ଏବଂ ରାଜନୈତିକ ପ୍ରତିବଦ୍ଧତାର ପ୍ରକାଶ ଅତ୍ୟନ୍ତ ବାଞ୍ଛନୀୟ। ବିଶ୍ୱର ବିକଶିତ ରାଷ୍ଟ୍ରମାନେ ଏଥି ନିମନ୍ତେ ବିକାଶଶୀଳ ରାଷ୍ଟ୍ରମାନଙ୍କୁ ସହାୟତା ପ୍ରଦାନର ମାନସିକତା ପ୍ରଦର୍ଶନ କରିବା ସେମାନଙ୍କର ନୈତିକ ଦାୟିତ୍ୱ ବୋଲି ଡ.ପରିଡ଼ା କହିଥିଲେ।

ମୁଖ୍ୟ ବକ୍ତା ଭାବେ ଭୁବନେଶ୍ୱରସ୍ଥ ଧାତୁ ଓ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଶୁଦ୍ଧସତ୍ତ୍ୱ ବସୁ ଯୋଗଦେଇ ବିଜ୍ଞାନର ଅବଦାନ ବିଷୟରେ ବିସ୍ତୃତ ବ୍ୟାଖ୍ୟା କରିବା ସହ ଏବେ କିପରି ପୃଥିବୀର ପରିବେଶ ଓ ପ୍ରକୃତି ଉପରେ ମାନବୀୟ କାର୍ଯ୍ୟ କଳାପର ଅତ୍ୟଧିକ ନକାରାତ୍ମକ ପ୍ରଭାବ ଅବିଚାରିତ ଭାବେ ବିସ୍ତାରିତ ହୋଇ ଚାଲିଛି ତାହା ବର୍ଣ୍ଣନା କରିଥିଲେ।

ଏହି ଅବସରରେ ବମ୍ବେ ଆଇଆଇଟିର ପୂର୍ବତନ ପ୍ରଫେସର କୃଷ୍ଣଚନ୍ଦ୍ର ସାହୁ, ଭୁବନେଶ୍ୱର ଆଇଆଇଟିର ପୂର୍ବତନ ଉପନିର୍ଦ୍ଦେଶକ ପ୍ରଫେସର ଗଣପତି ପଣ୍ଡା, ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ନାୟକ, ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶିକା ଡ଼. ସଂଘମିତ୍ରା ପତି ଏବଂ ମୁଖ୍ୟ ଅତିଥି ଡ଼. ଅଜୟ ପରିଡ଼ାଙ୍କୁ ଜୀବନବ୍ୟାପୀ ଅବଦାନ ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହାଛଡ଼ା କଂଗ୍ରେସର ପ୍ରସିଡିଂ ପୁସ୍ତକ ଏବଂ ‘ପାଣିର ରାଜା କୁମ୍ଭୀର’ ପୁସ୍ତକକୁ ଅତିଥିମାନେ ମଧ୍ୟ ଉନ୍ମୋଚିତ କରିଥିଲେ। ଓଡ଼ିଶା ବିଜ୍ଞାନ ଓ ପରିବେଶ କଂଗ୍ରେସର ଆବାହକ ଡ଼. ଜୟକୃଷ୍ଣ ପାଣିଗ୍ରାହୀ ସ୍ୱାଗତ ଭାଷଣ ପ୍ରଦାନ କରି ଚଳିତ ଅଧିବେଶନର ବିଷୟବସ୍ତୁର ତାତ୍ପର୍ଯ୍ୟ ବିଷୟରେ ଉଲ୍ଲେଖ କରିଥିଲେ। ଓଡ଼ିଶା ପରିବେଶ ସମିତିର ଉପ ସଭାପତି ଡ଼. ବିଜୟକେତନ ପଟ୍ଟନାୟକ ବିଷୟବସ୍ତୁ ଉପରେ ସ୍ୱମତ ଉପସ୍ଥାପନ କରିଥିଲେ। ଆୟୋଜନ ସମ୍ପାଦକ ପ୍ରଫେସର ଲୁନା ସାମନ୍ତ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସହକାରୀ ପ୍ରଫେସର ଉର୍ମିଶ୍ରୀ ବେଦମତା ଧନ୍ୟବାଦ ଦେଇଥିଲେ।