ଝାରସୁଗୁଡ଼ାରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ

ଝାରସୁଗୁଡ଼ା,ଏନ୍‌ଏନ୍‌ଏସ୍‌: ଝାରସୁଗୁଡ଼ା ଜିଲ୍ଲା ଖଣିଜ ପାଣ୍ଠି ଅଡିଟୋରିୟମଠାରେ ଆଜି ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଲଙ୍କେଶ୍ୱର ଅମାତ, ମୁଖ୍ୟବକ୍ତା ଭାବେ ପ୍ରଧ୍ୟାପିକା ଡା. ସ୍ୱର୍ଣ୍ଣମୟୀ ପୁରୋହିତ, ଝାରସୁଗୁଡ଼ା ପ୍ରେସ କ୍ଲବର ସଭାପତି ସନ୍ତୋଷ ମିଶ୍ର, ଉପଦେଷ୍ଟା ମେହେବୁବ ମେହେତାବ, ଜୀବନ ମହାନ୍ତି, ଡିଆଇପିଆରଓ ଦାୟିତ୍ୱରେ ଥିବା ଡେପୁଟି କଲେକ୍ଟର ଯୋଗେନ୍ଦ୍ର ମାଝୀ ଓ ଝାରସୁଗୁଡ଼ା ତହସିଲଦାର କୂଳମଣି ରନବିଡ଼ା ପ୍ରମୁଖ ସାମିଲ ରହି ମହାମାରୀ ସମୟରେ ଗଣମାଧ୍ୟମର ଭୂମିକା ଏକ ଆହ୍ୱାନ ବିଷୟବସ୍ତୁ ଉପରେ ମତବ୍ୟକ୍ତ କରିଥିଲେ ।

ଏହି ଅବସରରେ ଉପସ୍ଥିତ ଅତିଥିବୃନ୍ଦ ଶାସନ, ପ୍ରଶାସନ ତଥା ଜନସାଧାରଣ ମଧ୍ୟରେ ସମନ୍ୱୟ ରଖିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି । ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଓ ଅଞ୍ଚଳର ବିଭିନ୍ନ ସମସ୍ୟା ଆଦିରେ ସାମ୍ୱାଦିକମାନେ ନଜର ରଖି ଏହାର ସମାଧାନ ପାଇଁ ସର୍ବଦା ଗୁରୁଦାୟିତ୍ୱ ନିର୍ବାହ କରିଥାନ୍ତି । କୋଭିଡ ମହମାରୀ ସମୟରେ ନିଜ ଏବଂ ନିଜ ପରିବାରର ଜୀବନକୁ ବାଜି ଲଗାଇ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଖବର ସାମ୍ବାଦିକମାନେ ପରିବେଷଣ କରିଛନ୍ତି ଏବଂ ନିଜ କର୍ତ୍ତବ୍ୟକୁ ପାଳନ କରି ଝାରସୁଗୁଡ଼ା ଜିଲ୍ଲାର ୩ଜଣ ସାମ୍ବାଦିକଙ୍କ ସହ ଦେଶରେ ୪୦୦ରୁ ଅଧିକ ସାମ୍ବାଦିକ ପ୍ରାଣ ହରାଇଛନ୍ତ । ନିଜ କର୍ତ୍ତବ୍ୟ ତୁଲାଇବା ଅବସରରେ କୋଭିଡ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ସମସ୍ତ ସାମ୍ବାଦିକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ତେବେ ବର୍ତ୍ତମାନ ସମୟରେ ମଧ୍ୟ କୋଭିଡର ଭୟାବହତା ଦୂର ହୋଇନାହିଁ । ତେଣୁ କୋଭିଡରୁ ନିଜକୁ ସୁରକ୍ଷିତ ରଖିବା ସହ ଜନସାଧାରଣଙ୍କୁ ସଚେତନ କରି ଖବର ପରିବେଷଣ କରିବା ଦିଗରେ ଅତିଥିମାନେ ମତପ୍ରକାଶ କରିଛନ୍ତି । ଏହି ସମୟରେ ସୁବାଷ ଚନ୍ଦ୍ର ପ୍ରଧାନ, ସିତମ ପ୍ରଧାନ, ସନ୍ତୋଷ ସାହୁ, ମନୋଜ ମେହେର, ରବି କୁମାର, ଗୁରୁଚରଣ ବାଗ, ସରୋଜ ମିର୍ଦ୍ଧା, ପ୍ରଭୁଦତ୍ତ ପୂଜାରୀ, ପ୍ରମୋଦ ବଇଦାର, ପ୍ରଶାନ୍ତ ମାଝୀ, ମୁକେଶ ପ୍ରଧାନ ଓ ଜିତେନ୍ଦ୍ର ଦେବତା, କୈବଲ୍ୟ ମିଶ୍ର, ଆନନ୍ଦ ତିୱାରୀ, ଅମିତ ପାଢ଼ୀ ପ୍ରମୁଖଙ୍କ ସହ ଜିଲ୍ଲାର ସାମ୍ବାଦିକମାନେ ଉପସ୍ଥିତ ଥିଲେ ।