ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଲଖନପୁର ଥାନା ଅନ୍ତର୍ଗତ ଭଅଁରଖୋଲ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଅଜଣା ଗାଡ଼ି ଅଟୋକୁ ଧକ୍କା ଦେବାରୁ ଜଣେ ପ୍ରାଣ ହରାଇଥିବାବେଳେ ୩ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ ଲହଣ୍ଡାବୁଡ଼ର ମଧୁକର ପଟେଲଙ୍କ ସ୍ତ୍ରୀ ଦ୍ରୋପଦୀ ପଟେଲ(୪୫)ବୋଲି ପୁଲିସ ସୂଚନା ଦେଇଛି । ମିଳିଥିବା ରିପୋର୍ଟ ମୁତାବକ, ଆଜି ସକାଳେ ଲହଣ୍ଡାବୁଡ଼ରୁ ଏକ ଓଟୋ ଯୋଗେ ଦୌପଦୀ ଓ ତାଙ୍କ ପରିବାର ୭ଜଣ ରାଇଗଡ଼ ଯାଉଥିଲେ । ଏହି ସମୟରେ ଝାରସୁଗୁଡ଼ାରୁ ଯାଉଥିବା ଏକ ଅଜଣା ଭାରୀଯାନ ତାଙ୍କୁ ଭଅଁରଖୋଲ ଛକ ନିକଟରେ ଧକ୍କା ଦେଇ ଫେରାର ହୋଇଯାଇଥିଲା । ଫଳରେ ଦୁର୍ଘଟଣାସ୍ଥଳରେ ଦ୍ରୋପଦୀଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ୩ଜଣ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଛି । ଅନ୍ୟପଟେ ସ୍ଥାନୀୟ ଲୋକେ ମୃତକଙ୍କୁ କ୍ଷତିପୂରଣ ଏବଂ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଧରିବା ଦାବିରେ ରାସ୍ତାରୋକ କରିଥିଲେ । ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ନିୟମ ଅନୁଯାୟୀ ମୃତକଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବା ନେଇ ପ୍ରତିଶ୍ରୁତି ଦେବା ପରେ ଲୋକେ ରାସ୍ତାରୋକରୁ ଓହରିଥିଲେ ।