ସଫେଇ କର୍ମଚାରୀ କମିଶନ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଦିନିକିଆ ଦେବଗଡ଼ ଗସ୍ତ

ଦେବଗଡ଼,ଏନ୍ଏନ୍ଏସ୍: ସଫେଇ କର୍ମଚାରୀ କମିଶନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଏମ. ଭେଙ୍କଟେସନ ଆଜି ଦିନିକିଆ ଦେବଗଡ଼ ଗସ୍ତ କରି ସଫେଇ କର୍ମଚାରୀଙ୍କ ବସ୍ତି ବୁଲିବା ସହ ଗ୍ରାଉଣ୍ଡ ଜିରୋ ସ୍ଥିତି ଅନୁଧ୍ୟାନ କରିଛନ୍ତି। ପୂର୍ବ କାର୍ଯ୍ୟକ୍ରମ ଅନୁଯାୟୀ କମିଶନ ଅଧ୍ୟକ୍ଷ ଏମ. ଭେଙ୍କଟେସନ ଗତକାଲି ରାତିରେ ଦେବଗଡ଼ ପହଞ୍ଚି ରାତ୍ରୀଯାପନ କରିବା ପରେ ଆଜି ସକାଳୁ ପ୍ରଧାନପାଟସ୍ଥିତ ପ୍ରଧାନ ପାଟେଶ୍ୱରୀଙ୍କ ଦର୍ଶନ କରିଥିଲେ। ପରେ ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ହାତିସାଲ ସାହି ଓ ଆରସିଏମଏସ ସାହି ଅଞ୍ଚଳରେ ରହୁଥିବା ସଫେଇ କର୍ମଚାରୀଙ୍କ ବସ୍ତି ବୁଲିବା ସହ ସେମାନଙ୍କ ଅଭାବ ଅସୁବିଧା ପଚାରି ବୁଝିଥିଲେ।

ସେହିପରି ଡିଆରଡିଏ ସମ୍ମିଳନୀ କକ୍ଷରେ କମିଶନ ଅଧ୍ୟକ୍ଷ ଶ୍ରୀ ଭେଙ୍କଟସନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମୀକ୍ଷା ବୈଠକରେ ଦେବଗଡ଼ ଜିଲ୍ଲାପାଳ ତଥା ପୌର ପ୍ରଶାସକ ସୁଧାଂଶୁ ମୋହନ ସାମଲ, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଲୁକାସ ପ୍ରଧାନ, ଉପଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ, ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର ଓ ପୌର ପରିଷଦ ନିର୍ବାହୀ ଅଧିକାରୀ ତାପସୀ ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ। ଏହି ସମୟରେ ଉପସ୍ଥିତ ସଫେଇ କର୍ମଚାରୀଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ବିଭିନ୍ନ ସମସ୍ୟା ପଚାରି ବୁଝିଥିଲେ। ଏହି ଅବସରରେ ଏନଏସକେଏଫଡିସି ଯୋଜନା ଓ ଏମଏସ ଆକ୍ଟ ୨୦୧୩ର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଥିଲେ। ଏଥିରେ ସଫେଇ କର୍ମଚାରୀମାନେ ନିୟମିତ ଦରମା, ଇପିଏଫ, ସ୍ୱାସ୍ଥ୍ୟ ବୀମା, ସୁରକ୍ଷା ଉପକରଣ ଓ ପୋଷାକ ନିୟମିତ ପ୍ରଦାନ ପାଇଁ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।