ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ଭୋପାଳରେ ଆୟୋଜିତ କାର୍ଯ୍ୟକ୍ରମରେ ‘ରାସନ ଆପକେ ଦ୍ୱାର’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୋଦୀ କହିଛନ୍ତି ଯେ, ‘ଆଦିବାସୀଙ୍କଠାରୁ ଶିଖିବାର ଅଛି’। ସମଗ୍ର ଦେଶ ପାଇଁ ଆଜି ଏକ ବହୁତ ବଡ଼ ଦିନ। ଆଦିବାସୀଙ୍କ ପାଇଁ ମଧ୍ୟପ୍ରଦେଶ ସରକାର ଅନେକ ଯୋଜନାର ଶୁଭାରମ୍ଭ କରିଛନ୍ତି। ପୂର୍ବ ସରକାର ଆଦିବାସୀଙ୍କୁ ଗୁରୁତ୍ୱ ଦେଉନଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ସ୍ୱାଧୀନତାର ଅମୃତ କାଳରେ ଭାରତର ଜନଜାତୀୟ ପରମ୍ପରାକୁ ଭବ୍ୟ ପରିଚୟ ପ୍ରଦାନ କରିବା ପାଇଁ ଦେଶ ନିର୍ଣ୍ଣୟ ନେଇଛି। ଆଜିଠୁ ପ୍ରତ୍ୟେକ ବର୍ଷ ନଭେମ୍ବର ୧୫ ତାରିଖ ଅର୍ଥାତ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ‘ଜନଜାତୀୟ ଗୌରବ ଦିବସ’ ଭାବେ ପାଳନ କରାଯିବ।
ସୂଚନାଯୋଗ୍ୟ, ଉକ୍ତ କାର୍ଯ୍ୟକ୍ରମରେ ଆଦିବାସୀ ସମାଜ ତରଫରୁ ମୋଦୀଙ୍କୁ ଟୋପି ପିନ୍ଧା ଯାଇଥିଲା। ଏଥିସହିତ ତୀର ଓ ଧନୁଷ ମଧ୍ୟ ପ୍ରଦାନ କରାଯାଇଥିଲା।