ଦୁବାଇ,ଏଜେନ୍ସି: ଆଇସିସିର ପୁରୁଷ ଟି-୨୦ ବିଶ୍ୱକପ୍ରେ ଅଷ୍ଟ୍ରେଲିଆ ଦମ୍ଭ ଦେଖାଇଛି। ପାକିସ୍ତାନ ଠାରୁ ବିଜୟ ଛଡ଼ାଇ ଆଣି ଫାଇନାଲରେ ପହଞ୍ଚିଛି। ଆରୋନ ଫିଞ୍ଚଙ୍କ ନେତୃତ୍ବରେ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍ରେ ଖେଳିଥିବା ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ପାକିସ୍ତାନ ବିପକ୍ଷରେ କଙ୍ଗାରୁ ଦଳ ୫ ୱିକେଟ୍ରେ ବିଜୟୀ ହୋଇଛି। ଏହି ମ୍ୟାଚ୍ରେ ମ୍ୟାଥୁ ୱାଡେଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ପୁରସ୍କାର ମିଳିଛି।
ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ପାକିସ୍ତାନ ଇନିଂସ ଆରମ୍ଭ କରିଥିଲା। ଅଧିନାୟକ ବାବର ଆଜମଙ୍କ ନେତୃତ୍ବରେ ପାକିସ୍ତାନ ୪ଟି ୱିକେଟ୍ ହରାଇ ୧୭୬ ରନ୍ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ବିଜୟ ଲକ୍ଷ୍ୟକୁ ୧୯ ଓଭରରେ ୫ଟି ୱିକେଟ ହରାଇ ପୂରା କରିଥିଲା।
ପାକିସ୍ତାନ ମ୍ୟାଚ ଜିତିବା ସ୍ଥିତିରେ ଥିଲା। କିନ୍ତୁ ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ମାର୍କସ ଷ୍ଟୋଇନିସ ଓ ମାଥ୍ୟୁ ୱାଡେ ପାକିସ୍ତାନର ବୋଲରମାନଙ୍କୁ ନିରାଶ କଲେ। ୫ମ ୱିକେଟରେ ଏହି ଯୋଡ଼ି ଅପରାଜିତ ୮୧ ରନ୍ ଯୋଡ଼ି ଅଷ୍ଟ୍ରେଲିଆକୁ ବିଜୟ ଦେଇଥିଲେ। ଫଳରେ ପାକିସ୍ତାନର ଫାଇନାଲ ଖେଳିବା ସ୍ବପ୍ନ ଅଧୁରା ରହିଯାଇଛି। ଅଷ୍ଟ୍ରେଲିଆ ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ନଭେମ୍ବର ୧୪ ତାରିଖରେ ଦୁବାଇରେ ଭେଟିବ।
ସୂଚନାଯୋଗ୍ୟ ନ୍ୟୁଜିଲାଣ୍ଡ ପ୍ରଥମ ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡକୁ ୫ଟି ୱିକେଟ୍ରେ ହରାଇ ଫାଇନାଲକୁ ପ୍ରବେଶ କରିଛି। ଆବୁଧାବୀରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ ମ୍ୟାଚ୍ରେ ଇଂଲଣ୍ଡ ୨୦ ଓଭରରେ ୪ଟି ୱିକେଟ୍ ହରାଇ ୧୬୬ ରନ୍ ସଂଗ୍ରହ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ୧୯ ଓଭରରେ ୫ଟି ୱିକେଟ ହରାଇ ବିଜୟ ଲକ୍ଷ୍ୟକୁ ପୂରା କରିବା ସହିତ ଫାଇନାଲ୍ରେ ପ୍ରବେଶ କରିଥିଲା।