ଲଖନଉ,ଏଜେନ୍ସି: ଉତ୍ତରପ୍ରଦେଶର ରାଜଧାନୀ ଲଖନଉରେ ଗୁରୁବାର ୨ ଜଣ ଲୋକ ଜୀକା ଭାଇରସରେ ସଂକ୍ରମିତ ହୋଇଥିବା ଜଣାଯାଇଛି। ଚିକିତ୍ସା ଓ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ. ବେଦ ବ୍ରତ ସିଂହ ଏହା ସ୍ପଷ୍ଟ କରିଛନ୍ତି। ଜୀକା ଭାଇରସ ଲଖନଉରେ ପ୍ରବେଶ କରିବା ପରେ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଯାଇଛି।
ଲଖନଉରେ ଦୁଇ ଜଣ ବ୍ୟକ୍ତି ଜୀକା ଭାଇରସରେ ସଂକ୍ରମିତ ହୋଇଥିବା ବେଳେ ସେମାନେ ହୁସେନଗଂଜ ଓ କାନପୁରରୋଡସ୍ଥିତ ଏଲଡିଏ କଲୋନୀ ନିବାସୀ। ବୁଧବାର କାନପୁରରେ ୧୬ ଜଣ ଜୀକା ଭାଇରସରେ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଥିଲେ। ଏଥିରେ ୨ ଜଣ ଗର୍ଭବତୀ ଅଛନ୍ତି। ଏଥି ସହିତ କାନପୁରରେ ସଂକ୍ରମିତଙ୍କ ସଂଖ୍ୟା ୧୦୫ରେ ପହଞ୍ଚିଛି। କନୌଜରେ ମଧ୍ୟ ଜୀକା ଭାଇରସ ଭୟ ଦେଖାଯାଇଛି।