ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରର କାଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନସେସ୍ (କିସ୍)ରେ ଭର୍ଚୁଆଲ୍ ମିଡିଆରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭାରତର ପ୍ରଥମ ‘ଫିଫା ଫୁଟବଲ୍ ଫର୍ ସ୍କୁଲ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଫୁଟବଲ୍ ଫର୍ ସ୍କୁଲ ହେଉଛି ଫିଫା ଦ୍ୱାରା ପରିଚାଳିତ ଏକ ବିଶ୍ୱବ୍ୟାପୀ ଉଚ୍ଚାଭିଳାଷୀ କାର୍ଯ୍ୟକ୍ରମ ଯାହା ପ୍ରାୟ ୭୦୦ ନିୟୁତ ପିଲାଙ୍କୁ ଶିକ୍ଷା, ବିକାଶ ଏବଂ ସଶକ୍ତୀକରଣ କରିବାକୁ ଲକ୍ଷ୍ୟ ରଖିଛି। ଫୁଟବଲକୁ ବିଶ୍ୱର ବାଳକ ଏବଂ ବାଳିକାମାନଙ୍କ ପାଇଁ ଅଧିକ ସୁଗମ କରିବାକୁ ଚେଷ୍ଟା କରୁଛି।
ଏହି କାର୍ଯ୍ୟକ୍ରମ ହେଉଛି କିସ୍ ଏବଂ ଫିଫା ମଧ୍ୟରେ ଭାଗିଦାରୀର ଫଳାଫଳ। ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କ୍ରୀଡ଼ାରେ ପୁଞ୍ଜି ବିନିଯୋଗ ହେଉଛି ଯୁବପିଢି ପାଇଁ ବିନିଯୋଗ ଏବଂ ଭବିଷ୍ୟତରେ ମଧ୍ୟ ଏହି ବିନିଯୋଗ ଜାରି ରହିବ। ଶିକ୍ଷା ବ୍ୟବସ୍ଥାରେ ଫୁଟବଲ ସହ ଜଡିତ ଏଭଳି ସହଭାଗିତା ସହିତ ଏହି ଖେଳ ନିଶ୍ଚିତ ଭାବରେ ବାଳକ ଏବଂ ବାଳିକାମାନଙ୍କ ନିକଟରେ ପହଞ୍ଚିବ। ଗତ ଦୁଇ ଦଶନ୍ଧି ମଧ୍ୟରେ କ୍ରୀଡାକୁ ପ୍ରୋତ୍ସାହିତ କରିବା ଏବଂ କ୍ରୀଡା ପ୍ରତିଭାକୁ ଜନସାଧାରଣଙ୍କ ପାଇଁ ଆଣିଥିବାରୁ ସେ କିଟ୍ସ ଏବଂ କିସକୁ ଅଭିନନ୍ଦନ ଜଣାଇଛନ୍ତି।