ନିଶ୍ଚିନ୍ତକୋଇଲି/ଅସୁରେଶ୍ୱର,ଏନ୍ଏନ୍ଏସ୍: ନିଶ୍ଚିନ୍ତକୋଇଲି ବ୍ଲକ୍ ଅଧୀନସ୍ଥ କଟିକଟା ପଞ୍ଚାୟତ ରାମରାଙ୍ଗ ଗ୍ରାମର ୮୭ ବର୍ଷୀୟ ବୃଦ୍ଧ ଭାଗବତ ବେହେରାଙ୍କୁ ଆଜି ଅପରାହ୍ଣରେ ଏକ ବଣୁଆ ହାତୀ ଶୁଣ୍ଢରେ କଚାଡି ଦେବାରୁ ତାଙ୍କର ମୃତ୍ୟୁ ହୋଇଛି। ବୃଦ୍ଧ ଜଣକ ତାଙ୍କ ବାଡିରେ ଘାସ ଉପାଡୁଥିବା ବେଳେ ଘର ପଛ ପଟେ ଥିବା ଏକ ଧାନ ବିଲରୁ ହାତୀଟି ତାଙ୍କ ବାଡ଼ି ଭିତରକୁ ପଶିଯାଇଥିଲା। ବୃଦ୍ଧ ଜଣକ ହାତୀକୁ ଦେଖି ଭୟଭୀତ ହୋଇଯାଇ କୁଆଡକୁ ଯାଇପାରିନଥିଲେ। ହାତୀଟି ବୃଦ୍ଧଙ୍କୁ ଶୁଣ୍ଢରେ ଟେକି କଚାଡି ଦେବା ପରେ ତାଙ୍କ ଉପରେ ଚଢ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ବୃଦ୍ଧଙ୍କର ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଏହା ପରେ ହାତୀଟି ଗାଁ ଗାଁ ଓ ଗହୀର ଧାନ ବିଲ ଭିତରେ ଦୌଡୁଥିବାରୁ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି। ଏଭଳି ଦୁଃଖଦ ଘଟଣା ଶୁଣିବା ପରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଗଭୀର ଶୋକବ୍ୟକ୍ତ କରିଥିବା ବେଳେ ମୃତକଙ୍କ ପରିବାରକକୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି। ଅପରପକ୍ଷରେ ସରକାରଙ୍କ ନିୟମ ଅନୁଯାୟୀ ବନବିଭାଗ ପକ୍ଷରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଯୋଗାଇ ଦିଆଯିବା ସହିତ କ୍ଷତିଗ୍ରସ୍ତ ହୋଇଥିବା ଧାନ ଫସଲ ଏକର ପିଛା ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।