ପଞ୍ଚାୟତ ନିର୍ବାଚନ ପାଇଁ ଜାରି ହୋଇଥିବା ଆସନ ସଂରକ୍ଷଣ ତାଲିକା ପରିବର୍ତ୍ତନ ଦାବରେ ବିକ୍ଷୋଭ

ଓବିସି ବର୍ଗଙ୍କୁ ଉଚିତ ସଂରକ୍ଷଣ ପ୍ରଦାନ ସହ ନୂତନ ତାଲିକା ପ୍ରସ୍ତୁତ ପାଇଁ ଦାବି

ଝାରସୁଗୁଡା,ଏନ୍‌ଏନ୍‌ଏସ୍‌: ରାଜ୍ୟରେ ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବଚାନ ପାଇଁ ଜାରି କରାଯାଇଥିବା ଆସନ ସଂରକ୍ଷଣ ତାଲିକାକୁ ପରିବର୍ତ୍ତନ କରବା ପାଇଁ ଝାରସୁଗୁଡା ଜିଲ୍ଲା ଓବିସି ମଞ୍ଚ ପକ୍ଷରୁ ଦାବି କରାଯାଇଛି। ଏହାସହ ଆଗାମୀ ନିର୍ବାଚନ ପାଇଁ ଜାରି ହୋଇଥିବା ସଂରକ୍ଷଣ ତାଲିକାର ନୋଟିଫିକେସନ ଚିଠାକୁ ଜଳାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେହିପରି ଓବିସିଙ୍କୁ ସେମାନଙ୍କ ହକ ଅନୁଯାୟୀ ସଂରକ୍ଷଣ ପ୍ରଦାନ କରାଯାଇ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ନୂତନ ତାଲିକା ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଏକ ଦାବିପତ୍ର ପ୍ରେରଣ କରିଛି ଝାରସୁଗୁଡା ଜିଲ୍ଲା ଓବିସି ମଞ୍ଚ।

ଜିଲ୍ଲା ଓବିସି ମଞ୍ଚର ଆବାହକ ରାଧେଶ୍ୟାମ ପ୍ରଧାନ କହିଛନ୍ତି ରାଜ୍ୟରେ ୫୦ ପ୍ରତିଶତରୁ ଅଧିକ ଓବିସି ଭୋଟର ଅଛନ୍ତି। ନିର୍ବାଚନରେ ଓବିସିଙ୍କ ପାଇଁ ୨୭ ପ୍ରତିଶତ ଆସନ ମଧ୍ୟ ସଂରକ୍ଷୀତ ରଖିବା ପାଇଁ ସରକାର ଘୋଷଣା ମଧ୍ୟ କରିଛନ୍ତି। ହେଲେ ଚଳିତ ବର୍ଷ ହେବାକୁ ଥିବା ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସମସ୍ତ ବର୍ଗଙ୍କୁ ନିୟମ ଅନୁଯାୟ, ସଂରକ୍ଷଣ ମିଳିଥିବାବେଳେ ଓବିସି ବର୍ଗଙ୍କୁ ମିଳିନାହିଁ। ଏମିତିକି ଝାରସୁଗୁଡା ଜିଲ୍ଲା ଗୋଟିଏ ହେଲେ ସରପଞ୍ଚ ଜିଲ୍ଲା ପରିଷଦ, ୱାର୍ଡ ମେମ୍ବର ଅବା ସମିତି ସଭ୍ୟ ଆସନ ଓବିସିଙ୍କ ପାଇଁ ସଂରକ୍ଷିତ ରଖାଯାଇ ନାହିଁ। ଯାହା ରାଜ୍ୟର ଲକ୍ଷ ଲକ୍ଷ ଓବିସି ବର୍ଗର ଲୋକଙ୍କ ପ୍ରତି ଅନ୍ୟାୟ ଅଟେ। ତେଣୁ ଆପଣ ଏଥିପ୍ରତି ଧ୍ୟାନ ଦେଇ ଓବିସି ବର୍ଗଙ୍କୁ ମଧ୍ୟ ସେମାନଙ୍କ ହକ ଅନୁଯାୟୀ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ପ୍ରଦାନ କରିବାର ବ୍ୟବସ୍ଥା କରନ୍ତୁ। ଏବଂ ଜାରି କରାଯାଇଥିବା ସଂରକ୍ଷଣ ନୋଟିଫିକେସନକୁ ପରିବର୍ତ୍ତନ କରାଯାଇ ନୂତନ ସଂରକ୍ଷଣ ତାଲିକା ପ୍ରସ୍ତୁତ କରାଯାଉବୋଲି ବୋଲି ଜିଲ୍ଲା ଓବିସି ସଙ୍ଗଠନ ପକ୍ଷରୁ କୁହାଯାଇଛି।

ଏହି ଅବସରରେ ଅଲ ଇଣ୍ଡିଆ ଓବିସି ଅର୍ଗନାଇଜେସନର ସଭାପତି ଡ. ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଓବିସି ମଞ୍ଚ ରାଜ୍ୟ ସଭାପତି ଶଙ୍କର ପାତ୍ର, ରାଜ୍ୟ ସମ୍ପାଦକ ସୁବାସ ନାୟକ, ଝାରସୁଗୁଡା ଜିଲ୍ଲା ଓବିସି ମଞ୍ଚ ଆବାହାକ ରାଧେଶ୍ୟାମ ପ୍ରଧାନ, ଲରେନ୍ସ ପ୍ରଧାନ, ସରୋଜ ସାହୁ, ପବିତ୍ର ଷଣ୍ଡ, ବିରଞ୍ଚି ସାହୁ, ଦୀଲିପ ବଢେଇ, ସିରଜୁ ଖମାରୀ, ସୁରେନ୍ଦ୍ର ସାହୁ, ଜଗବନ୍ଧୁ ସା, ରମାକାନ୍ତ ପ୍ରଦାନ, ମାଧବ ପାଣ୍ଡେ, ଗୋଲାପ ପଟେଲ, ଲୋକନାଥ ପ୍ରଧାନ, ଶିବୁ ପ୍ରଧାନ, ଘନଶ୍ୟାମ ବାରିକ ପ୍ରମୁଖଙ୍କ ସହ ଜିଲ୍ଲା ଓବିସି ମଞ୍ଚର ସଦସ୍ୟମାନେ ଉପସ୍ଥିତ ଥିଲେ।