କୋରାପୁଟ,ଏନ୍ଏନ୍ଏସ୍: ସେମିଲିଗୁଡ଼ା ଥାନା ଦୁଧାରୀ ଗ୍ରାମରେ ଅବକାରୀ ବିଭାଗ, ଜିଲ୍ଲା ଫ୍ଲାଇଂ ସ୍କ୍ୱାଡ୍ ଓ ସେମିଲିଗୁଡ଼ା ପୁଲିସ ମିଳିତ ଭାବେ ଚଢ଼ଉ କରି ବିପୁଳ ପରିମାଣର ପୋଚ ଓ ରନ୍ଧା ଦେଶୀ ମଦ ଜବତ କରିଥିବା ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବକ, ଦୁଧାରୀ ଅଞ୍ଚଳରେ ବ୍ୟାପକ ଚୋରା ମଦ ପ୍ରସ୍ତୁତି ହେଉଥିବା ଅଭିଯୋଗ ପାଇ ଅବକାରୀ ଅଧୀକ୍ଷକ ମନୋଜ କୁମାର ସେଠୀ ସେହି ଅଞ୍ଚଳରେ ଚଢ଼ଉ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅବକାରୀ ବିଭାଗ ଜିଲ୍ଲା ଫ୍ଲାଇଂ ସ୍କ୍ୱାଡ୍ ନିରୀକ୍ଷକ ଦିଲ୍ଲୀପ କୁମାର ରଥଙ୍କ ନେତୃତ୍ୱରେ ଆଜି ପୂର୍ବାହ୍ନରେ ଦୁଧାରୀ ଗ୍ରାମରେ ଚଢ଼ଉ କରି ୮,୪୦୦ ଲିଟର ପୋଚ ଏବଂ ୪୫୦ ଲିଟର ଦେଶୀ ରନ୍ଧା ସହ ମଦ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ସରଞ୍ଜାମ ଜବତ କରି ନଷ୍ଟ କରିଥିଲେ। କୋରାପୁଟ ଅବକାରୀ ଥାନାରେ ଗୋଟିଏ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡ଼ିଛି। ଏହି ସମୟରେ ଅବକାରୀ ସବଇନ୍ସପେକ୍ଟର ଅରୁଣ ଯୋଶୀ,ଏଏସଆଇ ଅରପଲୋକ ଦାଶ, କନେଷ୍ଟବଳ ତ୍ରିଲୋଚନ ରାୟଚେଟ୍ଟୀ, ଭେଙ୍କଟେଶ୍ କୁମାର, ରାମଚନ୍ଦ୍ର ଗୌଡ଼, କପିଳ ସାହୁ ଓ ଉମୋର ଫାରୁକଙ୍କ ସମେତ ଅନ୍ୟମାନେ ସାମିଲ ହୋଇଥିଲେ।