ହାତୀ ଦାନ୍ତ ବିକ୍ରି ଉଦ୍ୟମ ବେଳେ ସ୍ପେଶାଲ ସ୍କ୍ୱାର୍ଡର ଚଢ଼ଉ, ଜଣେ ଗିରଫ

ଦେବଗଡ଼,ଏନ୍ଏନ୍ଏସ୍: ବେଆଇନ ହାତୀ ଦାନ୍ତ ବିକ୍ରି ଉଦ୍ୟମ ବେଳେ ଦେବଗଡ଼ ପୁଲିସର ସ୍ପେଶାଲ ସ୍କ୍ୱାର୍ଡ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ନିକଟରୁ ୨ଟି ହାତୀ ଦାନ୍ତ ମଧ୍ୟ ଜବତ ହୋଇଥିବା ନେଇ ଦେବଗଡ଼ ଏସପି ରାଜକିଶୋର ପାଇକରାୟ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଦେବଗଡ଼ ଥାନା ଅନ୍ତର୍ଗତ ପ୍ରଭାସୁଣୀ ଗ୍ରାମକୁ ହାତୀ ଦାନ୍ତ ବିକ୍ରି ପାଇଁ ଆସିଥିବା ଖବର ପାଇ ଜିଲ୍ଲା ପୁଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଗ୍ରାହକ ହୋଇ ସେଠାରେ ପହଞ୍ଚିଥିଲା। ସବଇନ୍ସପେକ୍ଟର ବୁଧରାୟ ମାଝୀ ଗ୍ରାହକ ବେଶରେ ପହଞ୍ଚି ୧୫ ଲକ୍ଷ ଟଙ୍କାରେ ମୁଲଚାଲ କରିଥିଲେ। ଏହି ସମୟରେ ଜିଲ୍ଲା ସ୍ୱାର୍ଡର ମୁଖ୍ୟ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଟିମ୍ ଚଢ଼ଉ କରିଥିଲା। ଏହି ସମୟରେ ଅଭିଯୁକ୍ତ ଫେରାର ହେବା ପାଇଁ ଉଦ୍ୟମ କରୁଥିବାବେଳେ ପୁଲିସ କାବୁ କରିନେବା ସହ ତା’ ନିକଟରୁ ୨ଟି ହାତୀ ଦାନ୍ତ ଜବତ କରିଥିଲା। ଅଭିଯୁକ୍ତ ଯୁବକ ସମ୍ବଲପୁର ଜିଲ୍ଲା ଶାସନ ଥାନାଞ୍ଚଳ ରାଣୀଖିଣ୍ଡା ଗ୍ରାମର ବେପାରୀ ସୁନୀଲ ପୌଢ଼(୨୬) ବୋଲି ଜଣାପଡ଼ିଛି। ଉକ୍ତ ଦାନ୍ତର ଓଜନ ପ୍ରାୟ ଅଢ଼େଇ କେଜିରୁ ଊର୍ଦ୍ଧ୍ୱ ହେବ। ପୁଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଜାରି ରଖିଥିବା ନେଇ ଏସପି ସୂଚନା ଦେଇଛନ୍ତି। ଏହି ଦାନ୍ତ କେଉଁଠୁ ଆସିଛି ଏବଂ ଏଥିରେ କାହାର ସମ୍ପୃକ୍ତି ଅଛି ସେନେଇ ତଦନ୍ତ କରିବା ସହିତ ଜଙ୍ଗଲ ବିଭାଗର ମଧ୍ୟ ସହଯୋଗ ନିଆଯାଉଥିବା ନେଇ ଏସପି ଶ୍ରୀ ପାଇକରାୟ ସୂଚନା ଦେଇଛନ୍ତି।