ଦେବଗଡ଼,ଏନ୍ଏନ୍ଏସ୍: କୁଣ୍ଡେଇଗୋଳା ଥାନା ଅନ୍ତର୍ଗତ ଗୋଡ଼ାମାଳ ଗ୍ରାମରେ ବିଦ୍ୟୁତ ଆଘାତରେ ଜଣେ ବିଦ୍ୟୁତ ବିଭାଗ ହେଲ୍ପରଙ୍କ ମୃତ୍ୟୁ ଘଟିଛି। ଫଳରେ ଆଜି ଅପରାହ୍ନରେ ଗ୍ରାମବାସୀମାନେ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ମୃତଦେହ ରଖି ବୁଢ଼ାପାଳ ଗ୍ରୀଡ଼ ସମ୍ମୁଖରେ ରାସ୍ତାରୋକ କରିଛନ୍ତି। ମିଳିଥିବା ରିପୋର୍ଟ ମୁତାବକ, ପଲସମା ଗ୍ରାମର ପ୍ରଭାତ ପ୍ରଧାନ ଗତକାଲି ସନ୍ଧ୍ୟାରେ ଗୋଡ଼ାମାଳ ଗ୍ରାମରେ ବିଦ୍ୟୁତ ଖୁଣ୍ଟରେ ଚଢ଼ି ସଜାଡୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ। ଗ୍ରାମବାସୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ପ୍ରଥମେ ଛେଣ୍ଡିପଦା ଓ ପରେ ଅନୁଗୁଳ ଡାକ୍ତରଖାନା ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ମୃତଦେହ ବ୍ୟବଛେଦ ପରେ ପରିବାରଲୋକ ଓ ଗ୍ରାମବାସୀ ମୃତକଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା ସହାୟତା ପ୍ରଦାନ ଦାବିରେ ବୁଢ଼ାପାଳ ଗ୍ରୀଡ଼ ସବଷ୍ଟେସନ ସମ୍ମୁଖରେ ମୃତଦେହ ରଖି ରାସ୍ତାରୋକ କରିଥିଲେ। ଆଜି ସକାଳେ ଗ୍ରାମବାସୀଙ୍କ ସହ ବିଦ୍ୟୁତ ବିଭାଗ ଅଧିକାରୀ ଓ ରକ୍ଷଣାବେକ୍ଷଣା ଦାୟିତ୍ୱ ନେଇଥିବା ଠିକା କମ୍ପାନୀର ଅଧିକାରୀଙ୍କ ମଧ୍ୟରେ ଆଲୋଚନା ବିଫଳ ହେବା ପରେ ଗ୍ରାମବାସୀମାନେ ମୃତଦେହ ରଖି ରାସ୍ତାରୋକ କରିଥିବା ଜଣାପଡ଼ିଛି। କୁଣ୍ଢେଇଗୋଳା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବାବେଳେ ଗ୍ରାମବାସୀ ସେମାନଙ୍କ ଜିଦରେ ଅଟଳ ରହି କ୍ଷତିପୂରଣ ଦାବି କରି ଆନ୍ଦୋଳନ କରୁଥିବା ଜଣାପଡ଼ିଛି।