ଗାଁ ଦାଣ୍ଡରୁ ନାବାଳକ ନିଖୋଜ ହେବା ଘଟଣା, ୨ ଦିନ ପରେ ଧାନ ବିଲରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର

ବଣାଇ,ଏନ୍ଏନ୍ଏସ୍: ଗତ ୨୫ ତାରିଖ ଦିନ ଗାଁ ଦାଣ୍ଡରେ ଖେଳୁ ଖେଳୁ ହଠାତ୍ ନିଖୋଜ ହୋଇଯାଇଥିବା ଶିଶୁକୁ ୨ ଦିନ ପରେ ଧାନ ବିଲରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କଲେ ପୁଲିସ ଓ ପରିବାର ଲୋକେ। ପିଲାଟିର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଅଧିକ ରକ୍ତସ୍ରାବ ହେଉଥିବା କାରଣରୁ ଅବସ୍ଥା ସାଂଘାତିକ ହୋଇ ପଡ଼ିଥିଲା। ତୁରନ୍ତ ଚିକିତ୍ସା କରିବା ପାଇଁ ପରିବାର ଲୋକ ପ୍ରଥମେ ପିଲାଟିକୁ କୁଚିଣ୍ଡା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ନ ସୁଧୁରିବାରୁ ଗତକାଲି ବୁର୍ଲା ରେଫର କରାଯାଇଥିଲା। ବୁର୍ଲା ମେଡିକାଲରେ ପିଲାଟିର ଚିକିତ୍ସା କରାଯାଉଥିବା ବେଳେ ବର୍ତ୍ତମାନ ସେ ବିପଦମୁକ୍ତ ଥିବା ଜଣାଯାଇଛି।

ଗୁରୁତର ନାବାଳକ ହେଲେ ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ସୋଲ ଗ୍ରାମର ଦିଲୀପ ଦର୍କାଙ୍କ ୬ ବର୍ଷୀୟ ପୁଅ ସୁଗମ ଦର୍କା। ତେବେ କିଏ ଓ କାହିଁକି ପିଲାଟିକୁ ଗାଁ ଦାଣ୍ଡରୁ ଉଠାଇନେଲା ତାହା ଜଣାପଡ଼ିନି। ଏନେଇ ପୁଲିସ ଅଧିକ ତଦନ୍ତ ଚଳାଇଛି।