କଟକ,ଏନ୍ଏନ୍ଏସ୍: ଆଗକୁ ଆସୁଛି ମା’ ଦୁର୍ଗାଙ୍କର ଦଶହରା ପୂଜା। ଏନେଇ ଚାରିଆଡ଼େ ଚଳଚଞ୍ଚଳ ଏବେ ଦେଖିବାକୁ ମିଳିଲାଣି। ଏହାରି ଭିତରେ କଟକର କିଛି ଅସାଧୁ ବ୍ୟକ୍ତି ପୂଜା କରିବା ପାଇଁ ଲୋକମାନଙ୍କ ଠାରୁ ଜୋର ଜବରଦସ୍ତି ଟଙ୍କା ଆଦାୟ କରୁଥିବାର ଅଭିଯୋଗ ହୋଇଛି। ଏନେଇ ତାଙ୍କ ବିରୋଧରେ କଟକ ମାଲଗୋଦାମ ଥାନାରେ ଅଭିଯୋଗ ହୋଇଛି।
ପରେ ପୁଲିସ ଦୁଇ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାଯାଇଛି। ଦୁଇ ଅଭିଯୁକ୍ତଙ୍କ ନାମ ହେଉଛି ଶରତ କୁମାର ବେହେରା ଓ ରାକେଶ ବେହେରା। ଏହି ୨ ଜଣ ଏକ ପୂଜା କମିଟିର କର୍ମକର୍ତ୍ତା କହି କଲେଜ ଛକ ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ ଜୋର ଜବରଦସ୍ତି ୧୩ ହଜାର ଟଙ୍କା ଚାନ୍ଦା ମାଗିଥିଲେ କିନ୍ତୁ ସେ ଦେବାକୁ ମନା କରିଦେଇଥିବାରୁ ତାଙ୍କୁ ମାରିବା ସହ ହତ୍ୟା କରିବାକୁ ମଧ୍ୟ ଧମକ ଦେଇଥିଲେ।
ପରେ ବ୍ୟବସାୟୀ ଜଣକ ତାଙ୍କ ନାଁରେ ଅଭିଯୋଗ ଦେବା ପରେ ତାଙ୍କୁ ପୁଲିସ ଗିରଫ କରିଛି। ଏହାକୁ ନେଇ କଟକ ଜୋନ୍ ଏସିପି ଅମରେନ୍ଦ୍ର ପଣ୍ଡା କହିଛନ୍ତି କାହା ପାଖରୁ ଜୋର ଜବରଦସ୍ତ ପୂଜା ଚାନ୍ଦା ଆଦାୟ କରାଯିବ ନାହିଁ ଯଦି ଏପରି ହୁଏ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।