ରାୟଗଡ଼ା,ଏନ୍ଏନ୍ଏସ୍: ମହାମାରୀ କରୋନା କାଳରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡିପଡିଛି। ପ୍ରାଥମିକ ଶିକ୍ଷାଦାନ ପ୍ରକ୍ରିୟା ଗତ ୧୮ ମାସ ହେଲାଣି କୋମାକୁ ଚାଲିଯାଇଛି। ଶ୍ରେଣୀ ଗୃହରେ ଦିନଟିଏ ହେଲେ ବି ପାଠପଢା ନହେବାରୁ ଛାତ୍ରଛାତ୍ରୀ ଅଫଲାଇନ ଶିକ୍ଷାକୁ ଭୁଲିବାକୁ ବିସିଲେଣି। ରାଜ୍ୟ ସରକାରଙ୍କ ତରଫରୁ ଅନଲାଇନ ଯୋଗେ ଜେଣେତେଣେ ଶିକ୍ଷାର୍ଥୀଙ୍କୁ ଶିକ୍ଷାଦାନ ପ୍ରକ୍ରିୟା ଚାଲୁ ରହିଥିବାବେଳେ ଗ୍ରାମାଞ୍ଚଳରେ ନେଟୱର୍କ ସମସ୍ୟା ଓ ଆଣ୍ଡରଏଡ ଫୋନ ଉପଲବ୍ଧ ନହେବାରୁ ଅଧିକାଂଶ ଛାତ୍ରଛାତ୍ରୀ ଅନଲାଇନ ଜରିଆରେ ଶିକ୍ଷା ହାସଲ ପ୍ରକ୍ରିୟାରୁ ବାଦ ପଡୁଛନ୍ତି।
ଅନଲାଇନ ଶିକ୍ଷା ହାସଲ ପାଇଁ ଛାତ୍ରଛାତ୍ରୀ ପାହାଡ ବଣ ଜଙ୍ଗଲ ଡେଇଁ ଗଛ ଉପରେ ବସି ପଢୁଥିବା ଦୃଶ୍ୟ ଦେଖିବାକୁ ମିଳିଥିବାବେଳେ ଅନେକ ଛାତ୍ରଛାତ୍ରୀ ଏହି ଅନଲାଇନ ମାଧ୍ୟମରେ ପଢିବା ସକାଶେ ଆଗ୍ରହ ପ୍ରକାଶ କରୁନାହାନ୍ତି। ଫଳରେ ଜିଲ୍ଲାରେ ଡ୍ରପ ଆଉଟ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି। ଅଧିକାଂଶ ବିଦ୍ୟାର୍ଥୀ ଗ୍ରାମାଞ୍ଚଳରେ ପାଠପଢାରୁ ମୁହଁ ମୋଡୁଛନ୍ତି। ସାମ୍ଭାବ୍ୟ ତୃତୀୟ ଲହର ମହାମାରୀ ସଂକ୍ରମଣ ଶିଶୁଙ୍କ ପାଇଁ ହାନୀକାର ହେବା ନେଇ ବିଶେଷଜ୍ଞ ପରାମର୍ଶ ଦେଲା ପରେ ରାଜ୍ୟ ସରକାର ସ୍କୁଲ ଖୋଲିବା ନିଷ୍ପତ୍ତି ଆପାତଃ ଚୂଡାନ୍ତ କରିପାରି ନାହାନ୍ତି। ଅନ୍ୟପଟେ ଅନଲାଇନ ଜରିଆରେ ଶିକ୍ଷାଦାନ ସହ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ପରୀକ୍ଷା ଓ ଗତ ବର୍ଷ ମାର୍କକୁ ଅନୁଶୀଳନ କରି ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯାଉଥିବା ସ୍ଥଳେ ଶିକ୍ଷାର୍ଥୀ ଉକ୍ତ ଶ୍ରେଣୀରେ ପାଠନପଢି ଦୀର୍ଘଦିନ ଧରି ଶ୍ରେଣୀରେ ଅନୁପସ୍ଥିତ ରହୁଛନ୍ତି।
୧ ମାସରୁ ଊର୍ଦ୍ଧ୍ୱ ସମୟ ବ୍ୟବଧାନ କୌଣସି ଛାତ୍ରଛାତ୍ରୀ ଅନୁପସ୍ଥିତ ହେଲେ ତାଙ୍କୁ ଡ୍ରପ ଆଉଟ ଶ୍ରେଣୀରେ ଅନ୍ତର୍ଭକ୍ତ କରି ପୁନଃ ଶ୍ରେଣୀରେ ଆଣି ଶିକ୍ଷାଦାନ ପ୍ରକ୍ରିୟାକୁ ଅବ୍ୟାହତ ରଖିବାକୁ ନିର୍ଦ୍ଦେଶ ରହିଛି। ଏହି ପରିପ୍ରେକ୍ଷୀରେ ରାୟଗଡା ଜିଲ୍ଲାରେ ଡ୍ରପ ଆଉଟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଦୈନିକ ବୃଦ୍ଧି ଘଟିଛି। ଅନଲାଇନ ଶିକ୍ଷା ପାଇବାରୁ ବଞ୍ଚିତ ହେବା ଫଳରେ ଛାତ୍ରଛାତ୍ରୀଙ୍କ ଉପସ୍ଥାପନା କମିବାରେ ଲାଗିଛି। ଜିଲ୍ଲାରେ ଆଜିସୁଦ୍ଧା ୩୦୮୧ଜଣ ଛାତ୍ରଛାତ୍ରୀ ଡ୍ରପ ଆଉଟ ହୋଇଥିବା ସୂଚନା ମିଳିଛି। ଏଥିରେ ସର୍ବାଧିକ କୋଲନରା ବ୍ଲକର ୬୫୨ ଜଣ, ବିଷମକଟକ ବ୍ଲକର ୬୧୬ ଜଣ ଛାତ୍ରଛାତ୍ରୀ ଡ୍ରପ ଆଉଟ ହୋଇଛନ୍ତି। ଯାହା ଶିକ୍ଷା ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି। ସେହିପରି ରାୟଗଡା ସଦର ବ୍ଲକର ୫୪୦ ଜଣ, ପୌରାଞ୍ଚଳରେ ୫୫ ଜଣ, ରାମ୍ନାଗୁଡାରେ ୩୭୫, ଗୁଡାରୀରେ ୩୭୧, ମୁନିଗୁଡାରୁ ୮୫, ପଦ୍ମପୁର ୧୯୫, ଗୁଡାରୀରେ ୩୮୬, କାଶୀପୁରରେ ୨୫ ଓ କଲ୍ୟାଣସିଂପୁରରେ ୧୪୧ ଜଣ ଛାତ୍ରଛାତ୍ରୀ ପାଠପଢା ଛାଡିଥିବା ଜଣାପଡିଛି।
ଅନ୍ୟପଟେ ଜିଲ୍ଲାରେ ୧୬୯୧ଟି ପ୍ରାଥମିକ ଓ ୧୫୮ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଥିବା ସ୍ଥଳେ ସମସ୍ତ ବିଦ୍ୟାଳୟରେ ଅନଲାଇନ ଶିକ୍ଷାଦାନ ପ୍ରକ୍ରାୟ ଚାଲୁ ରହିଛି। ଛାତ୍ରଛାତ୍ରୀଙ୍କ ସକାଶେ ଅନଲାଇନ ଶିକ୍ଷାଦାନ ବ୍ୟବସ୍ଥାକୁ ଆହୁରି ସରଳିକରଣ ପୂର୍ବକ ୟୁଟ୍ୟୁବ ଓ ରେଡିଓ ମାଧ୍ୟମରେ ପାଠ ପଢାଯାଉଛି। ନେଟୱର୍କ ସମସ୍ୟା ଓ ସ୍ମାର୍ଟଫୋନ ନଥିବାରୁ ଛାତ୍ରଛାତ୍ରୀଙ୍କ ପଢାରେ ଡୋରି ଲାଗିଛି। ଜିଲ୍ଲାରେ ୩ ହଜାରରୁ ଊର୍ଦ୍ଧ୍ୱ ଶିକ୍ଷାର୍ଥୀ ମହାମାରୀ ଯୋଗୁଁ ପାଠପଢାରୁ ମୁହଁ ମୋଡୁଥିବାରୁ ଏହି ଛାତ୍ରଛାତ୍ରୀଙ୍କୁ ପୁନଃ ଶିକ୍ଷା ବ୍ୟବସ୍ଥା ସହ ଯୋଡିବାକୁ ଆହ୍ୱାନ ଦିଆଯାଇଛି। ଏମାନଙ୍କ ମଧ୍ୟରୁ କେତେ ସଂଖ୍ୟକ ଛାତ୍ରଛାତ୍ରୀ ପୁନଃ ପାରମ୍ପରିକ ଶିକ୍ଷା ଖସଡା ସହ ଯୋଡି ହେଉଛନ୍ତି ତାହା ଆଗାମୀ ଦିନରେ ଜଣାପଡିବ।
ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହାଙ୍କୁ ପ୍ରତିକ୍ରିୟା ପଚାରିବାରୁ ଡ୍ରପ ଆଉଟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଚିହ୍ନଟ ଚାଲିଛି। ଶିକ୍ଷକ, ଶିକ୍ଷୟିତ୍ରୀ ସ୍ଥାନୀୟ ଗ୍ରାମରେ ବୁଲି ଡ୍ରପଆଉଟ ବିଦ୍ୟାର୍ଥୀଙ୍କ ଚିହ୍ନଟ କରୁଛନ୍ତି। ଅନଲାଇନ ପାଠପଢା ପାଇଁ ଯାହା ସମସ୍ୟା ଥିବ ସେଗୁଡିକ ସମାଧାନ କରି ପୁଣି ସେହି ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ଅଣାଯିବ ବୋଲି ଶ୍ରୀ ବରିହା ସୂଚନା ଦେଇଛନ୍ତି।