ଆଇସିୟୁରେ ସାୟରା ବାନୋ

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ ତଥା ଦିଲ୍ଲୀପ କୁମାରଙ୍କ ପତ୍ନୀ ସାୟରା ବାନୋ କିଛିଦିନ ହେବ ରୋଗାଗ୍ରସ୍ତ ଅଛନ୍ତି। ଉଚ୍ଚ ରକ୍ତଚାପ ଓ ସୁଗାର ଲେଭଲ ବଢ଼ିବା ଯୋଗୁ ସାୟରାଙ୍କଠାରେ ଶ୍ୱାସକ୍ରିୟା ସମସ୍ୟା ଦେଖାଦେଇଛି। ଦେହ ଅଧିକ ଖରାପ ହେବାରୁ ସାୟରାଙ୍କୁ ୩ ଦିନ ପୂର୍ବରୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବାବେଳେ ସମସ୍ତ ପ୍ରକାର ଯାଞ୍ଚ ଚାଲିଛି।

ଚଳିତ ବର୍ଷ ଜୁଲାଇରେ ଦିଲ୍ଲୀପ କୁମାରଙ୍କ ନିଧନ ହୋଇଥିଲା। ବୟସରେ ଦିଲ୍ଲୀପ କୁମାରଙ୍କଠାରୁ ସାୟରା ବାନୋ ୨୨ ବର୍ଷ ସାନ ଥିଲେ।  ୧୯୬୬ ମସିହାରେ ଦିଲ୍ଲୀପ ଓ ସାୟରା ବିବାହ ବନ୍ଧନରେ ଆବଦ୍ଧ ହୋଇ ଗତ ୫୫ ବର୍ଷ ହେବ ଏକାଠି ଥିଲେ। ଦିଲ୍ଲୀପଙ୍କ ନିଧନ ପରେ ସାୟରା ଏକା ହୋଇଯିବା ସହ ରୋଗାଗ୍ରସ୍ତ ଅଛନ୍ତି।

ଦିଲ୍ଲୀପଙ୍କ ମୃତ୍ୟୁ ପରେ ସାୟରା କହିଥିଲେ ଯେ, ଈଶ୍ୱର ମୋଠାରୁ ବଂଚିବାର କାରଣ ଛଡ଼ାଇ ନେଲେ। ମୋଠାରୁ ମୋ ଅସ୍ତିତ୍ତ୍ୱ ଛଡ଼ାଇ ନେଲେ, ସାହବଙ୍କ ବିନା ମୁଁ କିଛି ଚିନ୍ତା କରିପାରିବିନି। ଦୟାକରି ପ୍ରାର୍ଥନା କରନ୍ତୁ।