ବିହାରରେ ଏନକାଉଣ୍ଟର, ଟଳିଲେ ଏକାଧିକ ନକ୍ସଲ

ପାଟନା,ଏନ୍ଏନ୍ଏସ୍: ସୁରକ୍ଷାକର୍ମୀଙ୍କ ନକ୍ସଲ ଦମନ ଅଭିଯାନ। ବିହାରର ଲକିସରାଇ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଏନକାଣ୍ଟରରେ ଏକାଧିକ ନକ୍ସଲ ଟଳି ପଡିଥିବା ସୂଚନା ମିଳିଛି। ଏନେଇ ବିପୁଳ ପରିମାଣର ଗୁଳିଗୋଳା ଓ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି। ସୂଚନା ମିଳିଛି ଯେ, ନକ୍ସଲ ବଳେଶ୍ୱର କୋଡା ଗ୍ୟାଙ୍ଗ ସହିତ ସୁରକ୍ଷା ବାହିନୀର ଏନକାଉଣ୍ଟର ହୋଇଛି। ଏବେବି କୁମ୍ବିଂ ଅପରେସନ ଜାରି ରହିଥିବା କହିଛନ୍ତି ଲକିସରାଇ ଜିଲ୍ଲା ଏସପି ସୁଶୀଲ କୁମାର।

ସୂଚନା ଅନୁସାରେ, ଲକିସରାଇ ଜିଲ୍ଲାରେ ପିର ବଜାରର ବେଙ୍ଗଲିବନ୍ଦରେ ନକ୍ସଲ ଲୁଚି ଥିବା ନେଇ ସୁରକ୍ଷାକର୍ମୀଙ୍କୁ ଖବର ମିଳିଥିଲା। ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ। ପୁରା ଅଞ୍ଚଳକୁ ଘେରିଯାଇଥିଲେ ସୁରକ୍ଷାକର୍ମୀ। ପରେ ନକ୍ସଲଙ୍କ ପକ୍ଷରୁ ସୁରକ୍ଷାକର୍ମୀଙ୍କ ଉପରେ ଆଖିବୁଜା ଗୁଳିମାଡ କରାଯାଇଥିଲା। ପରେ ସୁରକ୍ଷାକର୍ମୀ ମଧ୍ୟ ଏହାର ଦେଇଥିଲା ପ୍ରତି ଜବାବ। ଜମଲପୁର ଓ କଜରାର ଭିମଡ୍ୟାମ ଅଞ୍ଚଳ, ଅଭୟପୁର ଓ ଲକିସରାଇର ପିରି ବଜାରରେ ଅପରେସନ କରାଯାଇଥିଲା। ଯେଉଁଥିରେ ଏସଏସବିର ବାଟାଲିୟନ ୩୨, ବିଏସଏଫର ଟପ କମାଣ୍ତର ଓ ପାରା ମିଲିଟାରୀ ସାମିଲ ହୋଇଥିଲେ।

ସାତ ଦିନ ପୂର୍ବରୁ, ମାଓ ଦମନ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ଯେଉଁଥିରେ ଜାମୁଇ, ଲକିସରାଇ, ଶେଖପୁରା ଏବଂ ମୁଙ୍ଗର ପୁଲିସ ଅଧୀକ୍ଷକଙ୍କ ସହ ପୂର୍ବତନ ଏଡିଜି ଏସସି ଏସଟି ଜେନେରାଲ୍ ଡାଇରେକ୍ଟରଙ୍କ ସହ ବୈଠକ ହୋଇଥିଲା। ଏହି ବୈଠକରେ ନକ୍ସଲ ମୁକାବିଲା ନେଇ ରଣନୀତି ପ୍ରସ୍ତୁତ କରାଯାଇଥିଲା।