ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ପୁଲିସର ସ୍ପେଶାଲ ସ୍କ୍ୱାର୍ଡ ଓ ଦେବଗଡ଼ ଥାନା ପୁଲିସର ମିଳିତ ଯାଞ୍ଚ କରି ବେଆଇନ ଗଞ୍ଜେଇ ଚାଲାଣ କରୁଥିବା ଜଣେ ଯୁବକକୁ କାବୁ କରିଛି। ଅଭିଯୁକ୍ତ ନିକଟରୁ ପ୍ରାୟ ୧୦କେଜି ଗଞ୍ଜେଇ ସହ ଏକ ବାଇକ ଜବତ କରାଯାଇଛି। ତେବେ ଉକ୍ତ ବାଇକରେ ଥିବା ଅନ୍ୟଜଣେ ଯୁବକ ପୁଲିସକୁ ଚକମା ଦେଇ ଖସିବାରେ ସଫଳ ହୋଇଥିବା ଜଣାପଡ଼ିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଆଜି ସକାଳେ ଜିଲ୍ଲା ପୁଲିସର ସ୍ପେଶାଲ ସ୍କ୍ୱାର୍ଡ ଚଟିବରଘାଟ ରାସ୍ତା ଦେଇ ଦେବଗଡ଼ ପଟକୁ ବିକ୍ରି ଉଦ୍ଦେଶ୍ୟରେ ଗଞ୍ଜେଇ ଆସୁଥିବା ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଏସଡ଼ିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଛକି ରହିଥିଲେ। ଏହି ସମୟରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳ ପଟୁ ଏକ ବାଇକ ଯୋଗେ ୨ଜଣ ଯୁବକ ଏକ ପ୍ଲାଷ୍ଟିକ ବସ୍ତାରେ ଗଞ୍ଜେଇ ବୋଝେଇ କରି ଆସୁଥିଲେ। ପୁଲିସ ସେମାନଙ୍କୁ ଅଟକାଇବା ବେଳେ ଜଣେ ଯୁବକ ଖସି ପଳାଇ ଥିବାବେଳେ ଅନ୍ୟଜଣକୁ ପୁଲିସ କାବୁ କରିଥିଲା । ଯାଞ୍ଚ ସମୟରେ ବସ୍ତା ମଧ୍ୟରେ ଗଞ୍ଜେଇ ଥିବା ଜଣାପଡ଼ିବା ପରେ ପୁଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରାଇବା ବେଳେ ସେଥିରୁ ୯କେଜି ୮୫୦ଗ୍ରାମ ଓଜନ ହୋଇଥିଲା। ଏହାସହ ଅଭିଯୁକ୍ତ ଯୁବକକୁ ଗିରଫ କରି ଥାନାକୁ ଆଣି ପଚରାଉଚୁରା କରିବାବେଳେ ସେ ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ କୁଶକୁଳିଆ ଗ୍ରାମର ଗଗନ ବିହାରୀ ମହାପାତ୍ରଙ୍କ ପୁଅ ଲାଲୁ ପ୍ରସାଦ ମହାପାତ୍ର ବୋଲି ଜଣାପଡ଼ିଥିଲା। ଫେରାର ଯୁବକ ଜଣକ ହେଲେ ସେହି ଗ୍ରାମର ପିଣ୍ଟୁ ଓରଫ ଦୁର୍ଯ୍ୟୋଧନ ମହାପାତ୍ର। ଏନେଇ ଦେବଗଡ଼ ଥାନା ପୁଲିସ ଏନଡ଼ିପିଏସ ଧାରାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ପୁଲିସ ମୁଖ୍ୟାଳୟରୁ ସୂଚନା ମିଳିଛି।