ମେରଠ: ଉତ୍ତରପ୍ରଦେଶର ମେରଠସ୍ଥିତ ଏମଆଇଇଟୀ ଇଞ୍ଜିନିୟରିଂ କଲେଜରେ ଅଟଳ କମ୍ୟୁନିଟି ଇନୋଭେସନ ଏକ ହାଇଟେକ ଜ୍ୟାକେଟ ପ୍ରସ୍ତୁତ କରିଛି। ଏହି ହାଇଟେକ ଜ୍ୟାକେଟ ଯବାନଙ୍କୁ ଗୁଳିରୁ ସୁରକ୍ଷା ପ୍ରଦାନ କରିବା ସହ ଗୁଳି ମଧ୍ୟ ଚଳାଇପାରିବ। କେବଳ ଏତିକି ନୁହେଁ, ଏହା ହାଇଟେକ୍ନୋଲୋଜୀ ଦ୍ୱାରା ପ୍ରସ୍ତୁତ ହୋଇଥିବରୁ ଯବାନଙ୍କୁ ଗୁଳି ଲାଗିଲେ କଣ୍ଟ୍ରୋଲ ରୁମକୁ ମଧ୍ୟ ସୂଚିତ କରିବ। ଏହି ଜ୍ୟାକେଟକୁ ବନାରସର ଯୁବ ବୈଜ୍ଞାନିକ ଶ୍ୟାମ ଚୌରାସିଆ ମାତ୍ର ୧୫ ଦିନରେ ପ୍ରସ୍ତୁତ କରିଛନ୍ତି।
ଶ୍ୟାମ କହିଛନ୍ତି ଯେ, ଏହି ହାଇଟେକ ବୁଲେଟପ୍ରୁଫ ଜ୍ୟାକେଟ ଗନରେ ଏକ ୱୟାରଲେସ ଟ୍ରିଗର ରହିଛି। ଏହାଦ୍ୱାରା ଆମ ଯବାନ ବୋର୍ଡରରେ ୧୦ରୁ ଅଧିକ ବନ୍ଧୁକ ରଖି ବହୁ କିମି ଦୂରରୁ ଶତ୍ରୁଙ୍କୁ କଡ଼ା ଜବାବ ଦେଇପାରିବେ। ଆଉ ବୋର୍ଡରରେ ଥିବା ଯବାନ ନିଜକୁ କଦାପି ଏକାକି ମନେ କରିବେ ନାହିଁ କାରଣ ଏହା ୨୪ ଘଣ୍ଟା ସେମାନଙ୍କୁ କଣ୍ଟ୍ରୋଲ ରୁମ୍ ସହ ଯୋଡ଼ିକି ରଖିବ। ଏଥିରେ ଲାଇଭ କ୍ୟାମେରା ଲଗାଯାଇଥିବାରୁ ଶତ୍ରୁ ପଛପଟୁ ଆକ୍ରମଣ କଲେ ମଧ୍ୟ ଯବାନ ତା’ର ଜବାବ ଦେଇପାରିବେ। ଜ୍ୟାକେଟରେ ଲାଗିଥିବା ଲାଇଭ ଗନକୁ ଇଣ୍ଟନେଟ ଦ୍ୱାରା ମଧ୍ୟ ଚଲା ଯାଇପାରିବ।