ମଦ କାରବାର ବନ୍ଦ ଦାବିରେ ରାସ୍ତାରୋକ କଲେ ମହିଳା

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୨୨୦ ନମ୍ବର ରାଞ୍ଚି ବିଜୟୱାଡା ଜାତୀୟ ରାଜପଥର ଡିଆନାଳି ନିକଟରେ ରାଜପଥକୁ ମହିଳାମାନେ ଅବରୋଧ କରିଛନ୍ତି। ପାଟଣା ଅବକାରୀ ଥାନା ଓ ପାଟଣାଥାନା ଅଞ୍ଚଳରେ ବେଧଡ଼କ ଚୋରା ଦେଶୀ ଓ ବିଦେଶୀ ମଦ କାରବାର ବୃଦ୍ଧି ପାଇଛି। ଏନେଇ ଅଞ୍ଚଳବାସୀ ବାରମ୍ବାର ପାଟଣା ଅବକାରୀ ଅଧିକ୍ଷକ ଦିଲ୍ଲୀପ କୁମାର ତାଣ୍ଡିକୁ ମଦ ବିକ୍ରି କରୁଥିବା ବେପାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ମଦ ବେପାରୀଙ୍କଠାରୁ ମାସିକିଆ ଚାନ୍ଦା ନେଇ ଅଞ୍ଚଳରେ ମଦ ବିକ୍ରି କରିବାକୁ ଅବକାରୀ ଅଧୀକ୍ଷକୁ ପ୍ରୋତ୍ସାହନ ଯୋଗାଉଛନ୍ତି। ଏଥିସହିତ ମଦ ବେପାରୀଙ୍କୁ ଅବକାରୀ ଅଧିକ୍ଷକ ଦିଲ୍ଲୀପ ତାଣ୍ଡି ଗିରଫ କରୁଥିବା ମଧ୍ୟ ମହିଳାମାନେ ଅଭିଯୋଗ ଆଣିଛନ୍ତି। ସେଥିପାଇଁ ସ୍ଥାନୀୟ ଅଞ୍ଚଳରେ ଚୋରା ମଦ ବିକ୍ରି ବନ୍ଦ ଦାବିରେ ଆଜି ରାଜପଥ ଉପରେ ମହିଳାମାନେ ମଦ ଧରି ରାସ୍ତାରୋକ କରିଛନ୍ତି। ରାସ୍ତାରୋକ ଯୋଗୁ ଉଭୟ ପାର୍ଶ୍ୱରେ ଗାଡ଼ି ମୋଟର ଅଟକି ରହିଥିବାବେଳେ ଘଟଣାସ୍ଥଳରେ ପାଟଣା ପୁଲିସ ପହଁଚି ମହିଳାଙ୍କୁ ବୁଝାସୁଝା କରି ରାସ୍ତାରୋକ ହଟାଇଥିଲେ। କିନ୍ତୁ ଘଟଣାସ୍ଥଳକୁ ଅବକାରୀ ବିଭାଗ ପକ୍ଷରୁ କେହି ଆସି ନଥିବାରୁ ଅବକାରୀ ବିଭାଗ ଅଧିକାରୀଙ୍କ ଭୂମିକା ସନ୍ଦେହ ଘେରରେ ରହିଛି। ତେବେ ଘଟଣାର ତଦନ୍ତ କରି ଅବକାରୀ ଅଧିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଚୋରା ମଦ ବେପାର ବନ୍ଦ କରିବାକୁ ମହିଳାମାନେ ଦାବି କରିଛନ୍ତି।